ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ : ୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାଶ ଯେ ଦାରିଙ୍ଗବାଡି ଥାନା ତିନି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଚନ୍ଦନ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତିରେ ଦୋକାନ ମାଲିକ ମାନସ ପତି ଦୋକାନ ବନ୍ଦ କରି ଶିବରାତ୍ରି ପାଇଁ ମନ୍ଦିରକୁ ଯାଇଥିଷଲ । ବିଳମ୍ବିତ ରାତି ପ୍ରାୟ ୩ଟା ବେଳକୁ ଦୋକାନରେ ନିଆଁ ଲାଗିଥିବା ନେଇ ଶିବ ମନ୍ଦିରରେ ଖବର ପହଞ୍ଚିଥିଲା । ଖବରପାଇ ମାନସ ଏବଂ ମନ୍ଦିରରେ ଥିବା ଅନ୍ୟ ଭକ୍ତ ମାନେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ସେହି ସମୟ ମଧ୍ୟରେ ଦୋକାନରେ ଲାଗିଥିବା ନିଆଁ ବହୁତ ଜୋର୍‌ରେ ଜଳିବାକୁ ଲାଗିଥିଲା ବହୁ କଷ୍ଟରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । କିନ୍ତୁ ନିଆଁ ଲିଭି ସାରିବା ବେଳକୁ ଦୋକାନରେ ଥିବା ପ୍ରାୟ ୪ ଲକ୍ଷ ଟଙ୍କାର ନୂତନ ମୋବାଇଲ ସହିତ କମ୍ପ୍ୟୁଟର, ଜେରକ୍ସ ମେସିନ, ପ୍ରିଣ୍ଟର, ରିପେରିଙ୍ଗ ପାଇଁ ଆସିଥିବା ପୁରୁଣା ମୋବାଇଲ ସମେତ ଅନ୍ୟାନ୍ୟ ଯନ୍ତ୍ରାଂଶ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବେଳେ ଦାରିଙ୍ଗବାଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.