ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମନ୍ତ୍ରୀ ଆରୁଖ

  • ପବିତ୍ର ବାହୁଡାଯାତ୍ରା ଅବସରରେ ଭଞ୍ଜନଗର ନୂତନ ବସ ଷ୍ଟାଣ୍ଡରୁ ଗଡ଼ିଲା ବସ

ଭଞ୍ଜନଗର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରକଳ୍ପକୁ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଜନହିତକର କାର୍ଯ୍ୟରେ ଯୋଗଦେଇ ପ୍ରମୁଖ ପ୍ରକଳ୍ପ ଗୁଡ଼ିକର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସେଥି ମଧ୍ୟରେ ଢୁଢୁଆ ଠାରେ ଏକ କଲ୍ୟାଣ ମଣ୍ଡପ, ମୁଦୁଲିପଲ୍ଲୀ ଠାରେ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା, ଭଞ୍ଜନଗର ବସଷ୍ଟାଣ୍ଡ ଠାରେ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ ଏବଂ ଗତ ଦୁଇ ବର୍ଷ ହେଲା ନୂତନ ବସ ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରି ନଥିଲା । ହେଲେ ଗତକାଲି ମନ୍ତ୍ରୀ ଆରୁଖ ସବୁଜ ପତାକା ଦେଖାଇବା ପରେ ଏଠାରୁ ଯାତ୍ରୀବାହୀ ବସ ଗଡ଼ିବା ଆରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମନ୍ତ୍ରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହ କନ୍ଧମାଳ ସାଂସଦ ପ୍ରତିନିଧି ଦିବାକର ନାୟକ, ଘରୋଇ ବସ ମାଲିକ ସଂଘର ସଭାପତି ଗୋପବନ୍ଧୁ ମହାପାତ୍ର, ଉପସଭାପତି ଏ. ବେଣୁ ଗୋପାଳ, ସମ୍ପାଦକ ବିପ୍ର ଚରଣ ବାରିକ, ସହ ସମ୍ପାଦକ ସୁବାଷ ଚନ୍ଦ୍ର ଦିହୁଡ଼ି ଏବଂ ଆରଟିଓ ଦାୟୀତ୍ୱରେ ଥିବା ଭାଗିରଥି ନାୟକ ମଞ୍ଚରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶୂଳପାଣି ଶତପଥି ସଂଯୋଜନା କରିଥିଲେ । ବସ ଷ୍ଟାଣ୍ଡକୁ ଲାଗି ରହିଥିବା ନୂତନ ଦୋକାନ ଗୃହକୁ ବିଭିନ୍ନ ବର୍ଗର ଲୋକଙ୍କୁ ବଣ୍ଟନ କରାଯାଇଥିବା ବେଳେ ଉଠା ଦୋକାନୀ ମାନଙ୍କ ଥଇଥାନ ପାଇଁ ଅତିଶୀଘ୍ର ୨୪ଟି ନୂତନ ଦୋକାନ ଗୃହ ନିର୍ମାଣ କରିବା ପାଇଁ ମନ୍ତ୍ରୀ ଘୋଷଣା କରିଥିଲେ । ଏଥି ସହ ମନ୍ତ୍ରୀ ଆରୁଖ ବସ ଷ୍ଟାଣ୍ଡକୁ ବୁଲି ଦେଖିଥିଲେ । ଏହାପରେ ଅପରାହ୍ନରେ ବ୍ଲକ ରାସ୍ତାରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ,୧୨ନଂ ୱାର୍ଡରେ କମ୍ୟୁନିଟି ସେଣ୍ଟର,ମେଡ଼ିକାଲ ନିକଟରେ ନୂତନ ଶୌଚାଳୟର ଶିଳାନ୍ୟାସ,୧୫ନଂ ୱାର୍ଡରେ ଏକ କମ୍ୟୁନିଟି ସେଣ୍ଟର, ୩କୋଟି ଟଙ୍କା ବ୍ୟୟରେ ଲୋହାରଖଣ୍ଡି ନଦୀର ପୁନରୁଦ୍ଧାର, ଆଦର୍ଶ ଶ୍ମଶାନ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ସମସ୍ତ କାର୍ଯ୍ୟରେ ବହୁ ଦଳୀୟ ନେତୃବୃନ୍ଦ, କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.