ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢୁ ଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦେଶ ଏବଂ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜି ସାରା ରାୟଗଡା ଜିଲ୍ଲାରେ ଜରୁରୀ ସେବାକୁ ବାଦ ଦେଇ ସମସ୍ତ ଦୋକାନ, ଗାଡି ଚଲାଚଳ ଏବଂ ସରକାରୀ ତଥା ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି ପୋଲିସ ଏବଂ ଜିଲ୍ଲାପ୍ରଶାସନର ବହୁ ପଦସ୍ତ ଅଧିକାରୀ ବିଭିନ୍ନ ଜାଗାରେ ସଜାଗ ରହି କଡାକଡି ପହରା ଦେଉଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲାପାଳ ସରୋଜ ମିଶ୍ର ଏବଂ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲଙ୍କ ନିର୍ଦେଶ ଅନୁଯାୟୀ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯାଇ ଥିବା ଜଣାପଡିଛି । ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି । ଆଜି ରାୟଗଡା ଜିଲାରେ ୧୧୬ କରୋନାରେ ସଂକ୍ରମଣ ହୋଇଥିବା ବେଳେ ଉଭୟ ପୌରାଞ୍ଚଳରେ ଏହି ସଂକ୍ରମଣ ହାର ଅଧିକା ଥିବା ଜଣାପଡିଛି । ତେଣୁ ଲୋକଙ୍କୁ ସାମାଜିକ ଦୂରତା ସହ ମାସ୍କ ଏବଂ ସାବୁନରେ ହାତକୁ ବାରମ୍ବାର ଧୋଇବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ଆସନ୍ତା କାଲି ମଧ୍ୟ ଏହି କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ଗୁଣୁପୁର ଥାନା ଅଧିକାରୀ ମନୋଜ ବେହେରା ସୂଚନା ଦେଇଛନ୍ତି ଏବଂ ଅମାନିଆଙ୍କୁ ସାବାଡ କରାଯିବ ବୋଲି ଜଣାଇଛନ୍ତି ।