ଓଡିଶା ରୋଜଗାର ସ୍ୱାବଲମ୍ବୀ ଉଦଘାଟିତ : ଝାରମୁଣ୍ଡା ଏଥ୍‌ଲେଟିକ ଏସୋସିଏସନ ସଭାପତି ଓ ସରପଞ୍ଚ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଶିକ୍ଷା, ପରିବେଶ ସମେତ ମହିଳାଙ୍କ ଆର୍ଥିକ ବିକାଶ ମାଧ୍ୟମରେ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟ ନେଇ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁର ସ୍ଥିତ ରୋଟାରୀ କ୍ଲବରେ ଓଡିଶା ରୋଜଗାର ସ୍ୱାବଲମ୍ବୀ କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୀତାଂଜଳି ମହାପାତ୍ର ଉଦଘାଟନ କରିଛନ୍ତି । ଏହି ଅବସରରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ ସଭାପତି ଶ୍ୟାମସୁନ୍ଦର ମେହେର ଓ ସରପଂଚ ସୁନୀଲ କୁମାର ଅଗ୍ରୱାଲଙ୍କୁ କରୋନା ଯୋଦ୍ଧା ଭାବେ ମଧ୍ୟ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି । ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ପରିବେଶ, ଶିକ୍ଷା କ୍ଷେତ୍ରରେ କାମ କରୁଥିବା ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ଓ କଳିଙ୍ଗ ଇନୋଭେସନ ଫାଉଣ୍ଡେସନ ପକ୍ଷରୁ ଓଡିଶା ରୋଜଗାର ସ୍ୱାବଲମ୍ବୀ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ସମ୍ବଲପୁର ରୋଟାରୀ କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ଉଦ୍ୟୋଗୀ ଭାବେ ୨୦ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସକାଶେ ୨୦ ହଜାର ଲେଖାଏଁ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା । ଏହାସହ ଚଳିତ ବର୍ଷ ମହାମାରୀ କରୋନା ସମୟରେ ସମାଜ ପାଇଁ କରୋନା ଯୋଦ୍ଧା ସାଜିଥିବା ପଶ୍ଚିମ ଓଡିଶାର ୧୦ ଜଣ ବ୍ୟକ୍ତି ବିଶେଷ ମଧ୍ୟରେ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ ସଭାପତି ଶ୍ରୀ ମେହେର ଓ ଝାରମୁଣ୍ଡା ସରପଂଚ ଶ୍ରୀ ଅଗ୍ରୱାଲ ମନୋନୀତ ହୋଇଥିଲେ । ତେଣୁ ଏସୋସିଏସନ ପକ୍ଷରୁ ସଭାପତି ଶ୍ରୀ ମେହେର, ସରପଂଚ ଶ୍ରୀ ଅଗ୍ରୱାଲ ସମେତ ଏସୋସିଏସନ ସଂପାଦକ ସଚ୍ଚିଦାନନ୍ଦ ସାହୁ, ଉପସଭାପତି ସୁଧାଂଶୁ ମାହାକୁର, ମନୋଜ ଧରୁଆ, କାର୍ତ୍ତିକ କର୍ତୀ, ଗୁଣମଣି ସେଠ, ଗୋକୁଳ ମେହେର ପ୍ରମୁଖ ଏକ ଦଳ ସମ୍ବଲପୁର ଯାଇଥିଲେ । ଆୟୋଜିତ ସଭାରେ ସମ୍ବଲପୁର ଡିଏସଡବ୍ଲୁଓ ଗୀତାଂଜଳି ମହାପାତ୍ର ମୁଖ୍ୟଅତିଥି, ଜିଲ୍ଲା ସିଡବ୍ଲୁସି ଚେୟାର ପର୍‌ସନ୍‌ ବ୍ରଜେଂଦ୍ର କିଶୋର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ପ୍ରାୟ ୫୦ ଜଣ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପଶ୍ଚିମ ଓଡିଶା କାର୍ଯ୍ୟକ୍ରମ ଅଧିକାରୀ ବନଜ୍ୟୋତ୍ସ୍ନା ପଧାନ ସଂଯୋଜନା କରିଥିବା ବେଳେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ସିଇଓ ଅକ୍ଷୟ ସାଗର, ଭୁବନେଶ୍ୱର ଶାଖା ମ୍ୟାନେଜର ଆଲୋକ ପରିଚ୍ଛା ଓ ପବନ କୁମାର ଟ୍ରଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.