ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ ଓଡ଼ିଆ ଶିକ୍ଷାକର୍ମୀମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ବହଡାଗୋଡାର ଗୁହିଆପାଳ ଓଡ଼ିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ କରାଯାଇଥିଲା । ଉକ୍ତ ସଭାରେ ଉତ୍କଳ ସମ୍ମିଳନୀର ୨୬ଟି ସ୍କୁଲର ୨୮ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମାତୃଭାଷା ସେବକ/ସେବିକା ସମ୍ମାନରେ ସମ୍ମାନିତ କରାଯାଇଛି । କାର୍ୟ୍ୟକ୍ରମରେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ଦିନେଶ ଷଡଙ୍ଗୀ କହିଲେ ଯେ, ଉତ୍କଳ ସମ୍ମିଳନୀ ଦ୍ୱାରା ନିଯୁକ୍ତ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀମାନେ ବର୍ଷକୁ ମାତ୍ର ଟ.୩୦,୦୦୦/- ମାନଦେୟ ପାଇ ମଧ୍ୟ ନିଜକୁ ସ୍ୱେଚ୍ଛାସେବୀ ଭାବେ ମାତୃଭାଷା ଓଡ଼ିଆ ସେବା ପାଇଁ ଉତ୍ସର୍ଗ କରିଛନ୍ତି ତେଣୁ ସେମାନେ ନିଶ୍ଚିତ ସାଧୁବାଦର ପାତ୍ର । ଏମାନଙ୍କ ସେବା ଯୋଗୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ବଞ୍ଚିରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେରାରୁ ଯେଉଁ ଆଲୋକ ଶିଖାଟି ପ୍ରଜ୍ୱଳିତ ହୋଇଛି ତା’ର ମୁଖ୍ୟ ସତ୍ୟ ପ୍ରକାଶ ଅବସର ଗ୍ରହଣ ପରେ ନିଜ ଜେଜେବାପାଙ୍କ ନାମରେ ଏହି ସାହିତ୍ୟ ସଂସଦ ଗଠନ କରି ମାତୃଭାଷା ପ୍ରତି ଯେଉଁ ସମର୍ପଣ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ସେ ଧନ୍ୟବାଦର ପାତ୍ର । ଆମେ ସମସ୍ତେ ତାଙ୍କର ସମସ୍ତ କାର୍ୟ୍ୟକ୍ରମକୁ ସହଯୋଗ କରିବା ଆମର କର୍ତ୍ତବ୍ୟ । ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଶତପଥୀ କହିଲେ ଯେ, ଉତ୍କଳ ସମ୍ମିଳନୀର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଯତ୍ କିଞ୍ଚିତ ଅର୍ଥ ଦିଆଯାଇଛି ତାହା ଦରମା ନୁହେଁ, ସେମାନେ ସେବା ମନୋବୃତ୍ତି ନେଇ ମାତୃଭାଷା ପାଇଁ ନିଜକୁ ନିୟୋଜିତ କରିଛନ୍ତି । ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ବିଚ୍ଛିନ୍ନାଞ୍ଚଳରେ ବଞ୍ଚାଇ ରଖିବା ପାଇଁ ଆମକୁ ଏହି ଭଳି ବିଭିନ୍ନ କାର୍ୟ୍ୟକ୍ରମ କରିବାକୁ ହେବ ଏବଂ ରାଜ୍ୟ ସରକାରଙ୍କ ସହିତ ଲଢେ଼ଇ କରିବାକୁ ହେବ । ସମାରୋହ ର ଆୟୋଜକ ଏବଂ ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦର ସଂଯୋଜକ ସତ୍ୟ ପ୍ରକାଶ କର ନିଜ ବକ୍ତବ୍ୟରେ କହିଲେ ଯେ ଆଜି ଭଳି ଗତ ସେପ୍ଟେମ୍ବର ତିନି ତାରିଖରେ ଖରସୁଆଁ ଏବଂ ଷଢେ଼ଇକଳା, ସେପ୍ଟେମ୍ବର ଦଶ ତାରିଖରେ ଚକ୍ରଧରପୁର, ସେପ୍ଟେମ୍ବର ଚବିଶ ତାରିଖରେ ଜାମସେଦପୁର ଏବଂ ଆଜି ଗୁହିଆପାଳରେ ତିନୋଟି ଜିଲ୍ଲାର ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆମ ଅନୁଷ୍ଠାନ ସମ୍ବର୍ଦ୍ଧିତ କରି ଗର୍ବ ଅନୁଭବ କରୁଛି । ଶିକ୍ଷକ ଚିରବନ୍ଦନୀୟ, ତେଣୁ ଶିକ୍ଷକ ଦିବସକୁ ଉପଲକ୍ଷ କରି ଷଢେ଼ଇକଳା – ଖରସୁଆଁ ଜିଲ୍ଲାରେ ଦୁଇଟି କେନ୍ଦ୍ର, ପଶ୍ଚିମ ସିଂହଭୂମିରେ ଗୋଟିଏ ଏବଂ ପୂର୍ବ ସିଂହଭୂମିରେ ଦୁଇଟି କେନ୍ଦ୍ର ରେ ସମ୍ବର୍ଦ୍ଧିନା ସମାରୋହର ଆୟୋଜନ କରାଯାଇଛି । ଭବିଷ୍ୟତରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଅନୁଷ୍ଠାନ ବିଭିନ୍ନ କାର୍ୟ୍ୟକ୍ରମ କରିବାକୁ ଯାଉଛି । ଉତ୍କଳ ସମ୍ମିଳନୀର ଜିଲ୍ଲା ସମ୍ପାଦକ ପ୍ରଦୀପ ଦାସ ମଞ୍ଚ ସଞ୍ଚାଳନ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସବୁ ବେଳେ ନିଷ୍ଠା ଓ ମନଯୋଗ ଦେଇ ପିଲା ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ଜାମସେଦପୁରର ଶିକ୍ଷାବିତ ଡଃ ଉତ୍ପଳା ଦାଶ ସଭାକୁ ସମ୍ବୋଧିତ କରି କହିଲେ ଯେ, ଶିକ୍ଷକମାନେ ହେଲେ ରାଷ୍ଟ୍ର ନିର୍ମାତା । ଡାକ୍ତର, ଇଞ୍ଜିନିୟର, ଆଇଏ୍‌ଏସ୍‌, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସମସ୍ତେ ଶିକ୍ଷକମାନଙ୍କ ଦ୍ୱାରା ଗଢା ହୁଅନ୍ତି । ତେଣୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗର୍ବ ଅନୁଭବ କରିବା କଥା । ଉତ୍କଳ ସମ୍ମିଳନୀର ଜିଲ୍ଲା ପର୍ୟ୍ୟବେକ୍ଷକ ଜୟରାମ ଦାସପାତ୍ର କହିଲେ ଯେ ଉତ୍କଳ ସମ୍ମିଳନୀ କେନ୍ଦ୍ର ସମିତି ଶିକ୍ଷକମାନଙ୍କ ମାନଧନ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଏବଂ ବର୍ତ୍ତମାନ ବାର୍ଷିକ ନହୋଇ ଷାଣ୍ମାସିକ ଦିଆଯିବାର ପ୍ରସ୍ତାବ ଅଛି । ପ୍ରତ୍ୟେକ ଜିଲ୍ଲାରେ ପାଞ୍ଚଜଣ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତାବ ରହିଛି, ସେଥିପାଇଁ ବିଦ୍ୟାଳୟ ଚୟନ ପ୍ରକିୟା ଚାଲିଛି । ଶେଷରେ ବାଲେଶ୍ୱର ବାଲିଆପାଳଠାରୁ ଆସି ମାତୃଭାଷାକୁ ଜାବୁଡି ଧରି ଜୀବନ ଉତ୍ସର୍ଗ ଏବଂ ଗୁହିଆପାଳରେ ଚାଳିଶ ବର୍ଷଧରି ଶିକ୍ଷା ଦାନ କରି ଆସୁଥିବା ଶିକ୍ଷକ ସରୋଜ କୁମାର କର ନିଃସ୍ଵାର୍ଥପର ଭାବେ ସେବା ପାଇଁ ପ୍ରେରଣା ଦେଇଥିଲେ । ଗୁହିଆପାଳ ଓଡିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଗୁହିଆପାଳ ଓ ଆଖପାଖ ଗ୍ରାମର ଭୂତନାଥ ଉପାଧ୍ୟାୟ, ବେଣୁଧର ପଣ୍ଡା, ଜହରଲାଲ ଉପାଧ୍ୟାୟ, ମନୋରଞ୍ଜନ ଗିରି, ଅଶିତ କୁମାର ମିଶ୍ର, ସରୋଜ କୁମାର କର, ଶୁଭେନ୍ଦୁ ମିଶ୍ର, ସମରେନ୍ଦ୍ର ଉପାଧ୍ୟାୟ, ଫାଲ୍ଗୁନୀ ରଞ୍ଜନ ବେରା, ବସନ୍ତ ପଣ୍ଡା ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ହୋଇ ଥିଲେ ।

Leave A Reply

Your email address will not be published.