jayashree

କଂଗ୍ରେସ ଦଳରେ ମିଶିଲେ ବିଜେଡି ସଂଖ୍ୟାଲଘୁ ସଭାପତି ଅସରଫ୍‌ ଅଲ୍ଲି ଖାନ

  • ନରସିଂହଙ୍କ ନେତୃତ୍ୱ ଓ କଂଗ୍ରେସ ଦଳ ଆଦର୍ଶରେ ଅନୁପ୍ରାଣିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ସାଲେପାଲିଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ସଭାପତିତ୍ୱରେ ଏକ ବନ୍ଧୁମିଳନ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମିଶ୍ରଣ ପର୍ବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଓ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡି ଦଳର ସଂଖ୍ୟାଧିକ କର୍ମୀ କଂଗ୍ରେସ ଦଳର ନିତି ଆଦର୍ଶ ଓ ବିଧାୟକ ନରସିଂହ ମିଶ୍ରଙ୍କ ଶାନ୍ତି, ମୈତ୍ରୀ, ପ୍ରଗତି ଓ କ୍ରାନ୍ତି ତଥା ଅଂଚଳ ପାଇଁ ବିକାଶମୂଖୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଉଭୟ ବିଧାୟକ ଶ୍ରୀ ମିଶ୍ର ଦକ୍ଷତା, ଦୂରଦୃଷ୍ଟି ଓ ଆତ୍ମିୟତା ଉପରେ ବିଶ୍ୱାସ ରଖୁଥିବା ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇ ବଲାଙ୍ଗିରରେ କଂଗ୍ରେସ ଦଳକୁ ପୁନର୍ବାର ବିଜୟ କରିବା ପାଇଁ ପ୍ରତିଜ୍ଞା କରିଥିଲେ । ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲର ସଭାପତି ଅସରଫ୍‌ ଅଲ୍ଲି ଖାନ, ଆକବର ଖାନ, ମେଟିନେଲ ଖାନ, ସେକ୍‌ ମୁସ୍ତାକ ମୁସ୍ତାସିନ, ସିଦ୍ଧିକି ଖାନଙ୍କ ସହ ସଂଖ୍ୟାଧିକ ବିଜେଡି ନେତା ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ମିଶ୍ରଣ ପର୍ବ ପରବର୍ତ୍ତି ସଭାରେ ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ମିଶ୍ର ୨୦୧୪ ପରେ ବିକାଶ ବିରୋଧିଙ୍କ ବିରୋଧ ସତ୍ୱେ ସରକାର ସହ ଲଢି ବଲାଙ୍ଗିର ସହର ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, ଗମନାଗମନ, ପାନୀୟ ଜଳ, ଜଳାଶୟର ପୁନରୁଦ୍ଧାର, ଜଳସେଚନର ଅନେକ ବିକାଶ ହୋଇଛି, ଆହୁରି ବାକି ଅଛି ଯାହାକି ଆସନ୍ତା ୫ ବର୍ଷ ଭିତରେ ପୁରଣ କରିବାକୁ ହେବ । ବିଜେପି, ବିଜେଡି ଉଭୟେ ଉଭୟ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ । ବିକାଶ ବିରୋଧୀଙ୍କୁ ସମସ୍ତେ ଜାଣି ସାରିଲେଣି । ଆସନ୍ତା ନିର୍ବାଚନରେ ବିରୋଧୀଙ୍କୁ ଉଚିତ ଜବାବ ଦେବେ ବୋଲି କହିଥିଲେ । ସମ୍ମାନିତ ଅତିଥି ସମରେନ୍ଦ୍ର ମିଶ୍ର ଆଗାମୀ ଦିନରେ ଆମେ ସମସ୍ତ ମିଳିମିଶି ବିକାଶ ସପକ୍ଷରେ ପକ୍ଷ ରଖିବାକୁ ଆହ୍ୱାନ ଦେଇଥିଲେ । ଆଜିର ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିରେନ୍ଦ୍ର ମିଶ୍ର, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ଯୁବ କଂଗ୍ରେସ ସଭାପତି ନାସୀର ଖାନ, ସୌମ୍ୟଦୀପ ସରାଫ, ଜୁଲୁ ପଟ୍ଟନାୟକ, ଅଶୋକ ନନ୍ଦ, ବବିତା ସାହୁ, ସାଇନା ବେଗମ୍‌, ସୁରେନ୍ଦ୍ର ଅଶ୍ୱପାଲ, ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.