jayashree

ଚିକିତ୍ସା ଅଭାବରେ କୁନି ଛାତ୍ର ରିତେଶ ସହାୟତା ଅପେକ୍ଷାରେ

କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତର ଏକ କୁନି ଛାତ୍ରର ଦାରୁଣ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଗୋରଖପୁର ଗ୍ରାମର ପଢ ଗଉଡ଼ଙ୍କ ପୁଅ ରିତେଶ ଗଉଡ଼ (୯) ଗୋରଖପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ବେଳେ ଆଜିକୁ ପ୍ରାୟ ୬ ମାସ ପାଖାପାଖି ହେବ କୌଣସି ଏକ ଅଜଣା ରୋଗରେ ପୀଡିତ ଥିବା ଜଣାପଡିଛି । ପ୍ରଥମେ ରିତେଶଙ୍କ ଅବସ୍ଥାକୁ ଦେଖି ବିଦ୍ୟାଳୟର କିଛି ଶିକ୍ଷକମାନେ ଟିକିରି ସ୍ଥିତ ନୂଆପଡା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରିଥିଲେ ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ମଧ୍ୟ କରିଥିଲେ ହେଲେ ପୁଣି ଜିଲ୍ଲା ଚିକିତ୍ସାଳୟର ନିର୍ଦ୍ଦେଶ କ୍ରମେ କୋରାପୁଟ ସ୍ଥାନାନ୍ତର କରାଗଲା କିନ୍ତୁ କୌଣସି ସଫଳ ଚିକିତ୍ସା ହୋଇପାରିଲା ନାହିଁ । ଏହାପରେ ରିତେଶଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି । ବର୍ତ୍ତମାନ ପରିବାର ପକ୍ଷେ ଅର୍ଥ ବାଧକ ସାଜିଥିବା ବେଳେ ଚିକିତ୍ସା ପାଇଁ ସହାୟତାର ନିବେଦନ କରିଛନ୍ତି ରିତେଶଙ୍କ ପରିବାର । ରିତେଶଙ୍କ ପିତା ହାଟ ବଜାର ବୁଲି ରୋଜଗାର କରୁଥିବା ବେଲେ ତାଙ୍କ ମାଁ ମଧ୍ୟ ସାହି ପଡିଶା ଘରେ ଦୁଇଓଳି କାମ କରି ପରିବାରର ଭରଣପୋଷଣ କରିଥାନ୍ତି । ଏଭଳି ପରିସ୍ଥିତିରେ ଗୁଜୁରାଣ ମେଣ୍ଟାଉଥିବା ବେଳେ କେମିତି ପିଲାର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବେ ସେଥିପାଇଁ ରିତେଶଙ୍କ ପରିବାର ଭାଙ୍ଗିପଡ଼ିଛି ।

Leave A Reply

Your email address will not be published.