
- ୯ ଲକ୍ଷ ୩ ହଜାର ଟଙ୍କା ଆତ୍ମସାତ୍ ଅଭିଯୋଗ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓ ପ୍ରବଣ ଅଂଚଳ ବଡବାଙ୍କି ପଂଚାୟତ । ବଡବାଙ୍କି ପଂଚାୟତ ସଦର ଗ୍ରାମଠାରୁ ରଣାପଡାରୁ ସଗ୍ରିଆ ପଡା ରାସ୍ତାର ମଝିରେ ବହିଯାଇଛି ଡୁମେରମୁଣ୍ଡା ନାଳ । ବର୍ଷା ଦିନରେ ପ୍ରବଳ ବର୍ଷା ପାଣି ଯାଇଥାଏ ଫଳରେ ନାଳର ପୂର୍ବ ଦିଗରେ ଥିବା ସଗ୍ରିଆ ପଡା ଓ ରଣା ପଡା ମଧ୍ୟରେ ବିଚ୍ଛିନ୍ନ ହୋଇଥାଏ । ନାଳର ପୂର୍ବ ଦିଗରେ ରହିଛି ମାଝିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଫଳରେ ବର୍ଷାଦିନେ ଅଧ୍ୟୟନରତ ଛାତ୍ରଛାତ୍ରୀ ନାଳ ଉପରେ ପୋଲ ନଥିବାରୁ ଶିକ୍ଷାଦାନରୁ ବଂଚିତ ହୋଇଥାନ୍ତି । ଗତ ୨୦୨୪ ଜୁଲାଇ ମାସର ପ୍ରବଳ ବର୍ଷାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ସ୍କୁଲକୁ ଯିବା ବେଳେ ବିପଦର ସମ୍ମୁଖୀନ ହୋଇଥିଲେ । ଏହି ନାଳ ଉପରେ ପୋଲ ନିର୍ମାଣ ପାଇଁ ୨୦୨୩ – ୨୪ ଆର୍ଥିକ ବର୍ଷରେ ବିଜୁ କେବିକେ ଯାଜନାରେ ୯ଲକ୍ଷ ୩ ହଜାର ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକୁ ପଂଚାୟତ ସମିତି ଦ୍ୱାରା ନିର୍ମାଣ କରାଯାଇଥିଲା ହେଲେ କାର୍ଯ୍ୟଟି ସମ୍ପୁର୍ଣ୍ଣ ହୋଇନାହିଁ । ଅଧପନ୍ତର୍ରିଆ ପୋଲ ନିର୍ମାଣ କରି ବନ୍ଦ କରାଯାଇଛି । ଏପରିକି ଅଧପନ୍ତରିଆ ପୋଲ ନିର୍ମାଣ କରି ସମସ୍ତ ଟଙ୍କା ବିଲ ଭାଉଚର କରି ଉଠାଣ କରାଯାଇଥିବା ଗ୍ରାମବାସୀଙ୍କଠାରୁ ଅଭିଯୋଗ ହେଉଛି । ଏହି ପୋଲ ନିର୍ମାଣ କାର୍ଯ୍ୟ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଅଧପନ୍ତରିଆ ହୋଇ ପଡିଥିବା ନେଇ ସଂପୃକ୍ତ ଜେ.ଇଙ୍କ ସହ ଯୋଗାଯୋଗ କରିବାରୁ ଫୋନ ଉଠାଇ ନଥିଲେ ଫଳରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପଂଚାୟତ ନିର୍ବାହୀ ଅଧିକାରୀ ଛବିଲାଲ ଛତରକୁ ଯୋଗାଯୋଗ କରିବାରୁ ଏହା ପଂଚାୟତ କାର୍ଯ୍ୟ ନୁହେଁ କିମ୍ବା ପଂଚାୟତ କରିନାହିଁ । ପୁଣି ମୁଁ କାର୍ଯ୍ୟରେ ଯୋଗ ଦେବାର ଅଳ୍ପ କେଇ ଦିନ ହୋଇଥିବାରୁ ମୁଁ ଏ କାମ ବାବଦରେ ଜାଣି ନାହିଁ ବୋଲି କହିଥିଲେ ।