ଚାଷୀଙ୍କୁ ପୁଣି ଆଶ୍ୱାସନା ଦିଆଗଲା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଂପ୍ରତି ସାରା ଓଡିଶାରେ ଭାତ ହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଲଖମରା, ବାଦିକଟା ଓ ଭେଙ୍ଗରାଜପୁର ଗ୍ରାମପଂଚାୟତର ଚାଷୀବୃନ୍ଦ ୨୦୧୯ର ଖରିଫ ସମୟର ଫସଲବୀମାରୁ ଅଦ୍ୟାବଧି ବଂଚିତ । ଅନେକ ଥର ରାସ୍ତାରୋକ, ଆଲୋଚନା ହେବା ପରେ ମଧ୍ୟ ଚାଷୀଙ୍କୁ ନାନା ପ୍ରକାରର ଆଳ ଦେଖାଇ ଓରିଏନଟାଲ ଇନ୍ସୁରେନ୍ସ କମ୍ପାନୀ ଠକିବାରେ ଲାଗିଛି । ଯଦ୍ୱାରା ଚାଷୀ ଅସନ୍ତୋଷ ପ୍ରକାଶ କରି କିଛି ଉପାୟ ନ ପାଇ ବାଧ୍ୟହୋଇ ଗତକାଲି ରାସ୍ତା ରୋକ କରିଥିଲେ । ହେଲେ ତୁହାକୁତୁହା ଅଦିନିଆ ବର୍ଷା ପାଇଁ ରାସ୍ତାରୋକରୁ ଓହରି ଯାଇ ନିପ୍ପତ୍ତିକ୍ରମେ ଚାଷୀ ଆଜି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣାରେ ବସିବା ସହ ଉପଜିଲ୍ଲାପାଳ ମହାଶୟଙ୍କୁ ମଧ୍ୟ ଅଫିସକୁ ଯିବା ପାଇଁ ସୁଯୋଗ ଦେଇନଥିଲେ । କିଛି ଘଣ୍ଟା ଅତିବାହିତ ପରେ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଆନ୍ଦୋଳନକାରୀମାନଙ୍କ ପାଖକୁ ଆସି ଆସନ୍ତା ୨୫.୯.୨୦୨୦ରେ ଇନ୍ସ୍ୟୁରେନସ୍ ରେ ଜଡିତ ସମସ୍ତ ବିଭାଗୀୟ ଉଚ୍ଚକୃପକ୍ଷଙ୍କ ସମେତ ଓରିଏନଟିଆଲ୍ ଇନ୍ସୁରେନ୍ସ କମ୍ପାନୀର କର୍ତୃପକ୍ଷଙ୍କ ସହ କୃଷକ ସଂଗଠନର କେତେକ ନେତାଙ୍କୁ ନେଇ ଏକ ଆଲୋଚନା କରିବାକୁ ନିପ୍ପତ୍ତି ଶୁଣାଇବା ପରେ ଚାଷୀ କିଛି ପରିମାଣରେ ସନ୍ତୋଷ ହୋଇଛନ୍ତି । କିନ୍ତୁ ଯଦି ଆଲୋଚନାରେ କିଛି ଫଳ ନ ମିଳେ ତେବେ ଆଲୋଚନା ହେବା ଦିନଠାରୁ ୧୫ ଦିନରେ ଚାଷୀ ଆନ୍ଦୋଳନ ତେଜିଆନ ହେବା ସହ ସାରା ପ୍ରସାଶନକଳକୁ ଅଚଳ କରି ଦିଆଯିବ ବୋଲି ଚରମ ଚେତାବନୀ ଦେବା ପରେ ଆଜିର ଆନ୍ଦୋଳନ ସ୍ଥଗିତ କରାଯାଇଛି । ବର୍ତ୍ତମାନ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସ୍ୱାଭାବିକ ଅବସ୍ଥାକୁ ଫେରି ପାରିଛି ।

Leave A Reply

Your email address will not be published.