ବିଡିଓ ଲକ୍ଷ୍ମଣ ମାଝୀଙ୍କ ପ୍ରୟାସରେ ୭୦ ବର୍ଷ ପରେ ଆଧାର କାର୍ଡ ପାଇବେ ଭିନ୍ନକ୍ଷମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଛିନ୍ଦ୍ରାପାଲି ଗ୍ରାମର ସମାଜସେବୀ ଗୋବିନ୍ଦ ଦଣ୍ଡସେନା ଗ୍ରାମର ଲିଙ୍ଗ ବରିହା (୭୫) ଯିଏ କି ଜଣେ ଜଣେ ଭିନ୍ନକ୍ଷମ ବ୍ୟକ୍ତି, ତାଙ୍କୁ ନେଇ ଗତକାଲି ବିଡିଓ ମହାଶୟଙ୍କ ପାଖକୁ ପହଞ୍ଚି ଆଧାର କାର୍ଡ ନ ଥିବାରୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଥିଲେ । ତୁରନ୍ତ ବିଡିଓ ଲକ୍ଷ୍ମଣ ମାଝୀ ତହସିଲଦାରଙ୍କ ସହିତ ଫୋନରେ କଥା ହୋଇ ଗୋଟିଏ ଦିନରେ ତାଙ୍କର ଜାତି, ସ୍ଥାୟି ବାସିନ୍ଦା, ଆୟ ସାର୍ଟିଫିକେଟ ତିଆରି କରିବା ସହ ଜିଲ୍ଲା ସି.ଏଚ୍‌.ସି ମ୍ୟାନେଜର ବାଳମୁକୁନ୍ଦ ସାହୁଙ୍କୁ ଯୋଗାଯୋଗ କରିଥିଲେ । ବିଡିଓଙ୍କ ଅନୁରୋଧ କ୍ରମେ ହଠାତ ବରଗଡ଼ରୁ ଶ୍ରୀ ସାହୁ ଆଜି ଗାଇସିଲେଟ ପହଞ୍ଚି ଲିଙ୍ଗ ବରିହାଙ୍କ ଆଧାର କାର୍ଡ ତିଆରି କରିଥିଲେ । ତେବେ ଆଖି ଦୁଇଟି ନଷ୍ଟ ହୋଇଯାଇଥିବାରୁ ଦୀର୍ଘ ବର୍ଷ ଧରି ଦଉଡ଼ି ଦଉଡ଼ି ନୟାନ୍ତ ହୋଇଯାଇଥିବା ୭୫ ବର୍ଷୀୟ ଭିନ୍ନକ୍ଷମ ବୃଦ୍ଧ ବିଡିଓଙ୍କ ଏଭଳି କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିବା ବେଳେ ଆଧାର କାର୍ଡ ଆସିଲା ପରେ ୩୫୦୦ ଟଙ୍କା ଭତ୍ତା ସହ ଅନ୍ତୋର୍ଦୟ ଯୋଜନାରେ ଏକ ଗୃହ ଯୋଗାଇଦେବା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସୁଥିବା ଏହି ପ୍ରଶାସନ ଅଧିକାରୀ ସଦା ସର୍ବଦା ଅସହାୟ ଲୋକଙ୍କ ସେବା କରିବାକୁ ପ୍ରାଥମିକତା ଦେଉଥିବା ସହ ସରକାରଙ୍କ ପ୍ରତି ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥି ପାଇଁ ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସଚେତନ ମଧ୍ୟ କରିଥାନ୍ତି । ବ୍ଲକରେ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଆସୁଥିବା ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡିଥିବା ବିଡିଓ ମହାଶୟ ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବା କଥା ହେଉ କିମ୍ବା ଅନ୍ତୋର୍ଦୟ ଗୃହ ଯୋଜନା, ବିଧବା, ଭିନ୍ନକ୍ଷମ, ବୟସ୍କ -ବୃଦ୍ଧବୃଦ୍ଧା ଭତ୍ତା ଟଙ୍କା ପାଇଁ ନିଜେ ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ ଘର ଘର ବୁଲି ହିତାଧିକାରୀଙ୍କ ପାଖରେ ପହଞ୍ଚିଥାନ୍ତି । ସଦାସର୍ବଦା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଏହି ଅଧିକାରୀ ଏବେ ଗାଇସିଲେଟ ଅଞ୍ଚଳରେ ଖୁବ୍ ଲୋକ ପ୍ରିୟ ହୋଇପାରିଛନ୍ତି ।

Leave A Reply

Your email address will not be published.