
ବ୍ରହ୍ମପୁର, (କେ .ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ରୌଦ୍ରତାପ ବଢୁଥିବା ବେଳେ ଇତି ମଧ୍ୟରେ ମା’ ତାରାତାରିଣୀଙ୍କର ଚଇତି ପର୍ବ ମାସ ବ୍ୟାପୀ ଚାଲିଛି ଦେବୀଙ୍କ ଚୈତ୍ର ପର୍ବ ତୃତୀୟ ପାଳି ମଙ୍ଗଳବାର ମଧ୍ୟ ପ୍ରବଳ ଜନସମାଗମର ମଧ୍ୟରେ ସୁରୁଖରେ ସମାହିତ ହୋଇଯାଇଛି । ଭକ୍ତଜନଙ୍କୁ ଦେବୀଙ୍କ ଶୃଙ୍ଖଳିତ ଦର୍ଶନ କରିବା ନିମନ୍ତେ ଛତ୍ରପୁର ଏସ୍ଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ତତ୍ତ୍ୱବଧାନରେ ଛତ୍ରପୁରର ସମାଜସେବୀ ଗୋଷ୍ଠୀ ଏହି ଧାର୍ମିକ କାର୍ଯ୍ୟରେ ନିୟୋଜିତ ହୋଇ ପ୍ରତି ମଙ୍ଗଳାବର ପାଳିରେ ସ୍ଵେଚ୍ଛାସେବୀମାନେ କାର୍ଯ୍ୟ କରିଆସୁଛନ୍ତି । ମେରୁ ସଂକ୍ରାନ୍ତିର ପୂର୍ବରୁ ଆସିଥିବା ତୃତୀୟ ପାଳି ମଙ୍ଗଳବାର ଦିନ ହିନ୍ଦୁ ନବବର୍ଷ ତଥା ତେଲୁଗୁ ନବବର୍ଷ ଅବା ଉଗାଦି ଦିବସ ହୋଇଥିବାରୁ ଏହି ପାଳିରେ ପ୍ରବଳ ଜନସମାଗମ ହେବାର ଦେଖିବାକୁ ମିଳିଥିଲା । କିନ୍ତୁ ପୂର୍ବରୁ ପ୍ରସ୍ତୁତ ଥିବା ସମସ୍ତ ସ୍ୱେଚ୍ଛାସେବୀମାନେ ବିଭିନ୍ନ ଜନସେବା କାର୍ଯ୍ୟରେ ନିୟୋଜିତ ହୋଇଆସିଛନ୍ତି । ଯଥା ଲୋକଙ୍କୁ ଧାଡିରେ ଛିଡା କରାଇବା ଦେବୀଙ୍କର ଶୃଙ୍ଖଳିତ ଦର୍ଶନ କରାଇବା ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ଦର୍ଶନ କରାଇବାରେ ଯଥା ସମ୍ଭବ ସହାୟତା କରିଆସୁଛନ୍ତି । ହଜିଯାଇଥିବା ଛୋଟ ପିଲାଙ୍କୁ ସେମାନଙ୍କ ବାପା ମାଆଙ୍କ ପାଖରେ ପହଞ୍ଚାଇବା, ପାଣି ବାଣ୍ଟିବା ତଥା ପ୍ରବଳ ଖରା ଯୋଗୁଁ ଅଚେତ ହୋଇପଡିଥିବା ଭକ୍ତଙ୍କୁ ଜରୁରୀକାଳୀନ ସାହାଯ୍ୟ ପ୍ରଦାନ କରିବା ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଆସୁଛନ୍ତି । ଛତ୍ରପୁରର ଏହି ସଂଗଠନ ସ୍ୱେଚ୍ଛାସେବୀ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଆସିଛନ୍ତି । ସୂଚନାଯୋଗ୍ୟ ବିଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ପୂର୍ବରୁ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଗତ ମଙ୍ଗଳବାର ପାଳିରେ ଛତ୍ରପୁରର ଉତ୍ସାହୀ ଯୁବକମାନେ ଛତ୍ରପୁର ଏସ୍ଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଏବଂ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ପ୍ରତିନିଧିର ମୁଖ୍ୟ ସଂଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଏକ ଷାଠିଏ ଜଣିଆ ସେବାଦଳ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚୈତ୍ରପର୍ବ ଯାତ୍ରାରେ ନିୟୋଜିତ ହୋଇ ସେବା କାର୍ଯ୍ୟ ସମାହିତ କରି ଆସିଛନ୍ତି । ବିଭିନ୍ନ ସେବାକାର୍ଯ୍ୟ କରିବାକୁ ଭୋର ୪ଟା ସମୟରେ ମନ୍ଦିରରେ ପହଞ୍ଚି ଯଥା ସମ୍ଭବ ପ୍ରଶାସନକୁ ସହାୟତାର ହାତ ବଢ଼ାଇବା ସହ ପ୍ରବଳ ଖରାରେ ଦୁର୍ଦ୍ଦଶା ଭୋଗୁଥିବା ଭକ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇ ଭକ୍ତଙ୍କ ଦୁଃଖ ଲାଘବ କରିଆସିଛନ୍ତି । ଆଜିର ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଏସ. ରାମକୃଷ୍ଣ ରେଡ୍ଡୀ, ଟୁଟୁ ନାୟକ, ଲସିତ ବେହେରା, ମନୋରଞ୍ଜନ ବେହେରା, ବିଜୟ ଜେନା, ଦୀପ୍ତିବାଳା ସାହୁ, ସାଗରିକା ସାମନ୍ତରାୟ, ସମୀର ପ୍ରଧାନ, ଏସ. ରବି, ରାଜେଶ ପାତ୍ର ଆଦି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରି ସୁଚାରୁ ରୂପେ ପରିଚାଳନା କରିଥିଲେ । ପ୍ରାପ୍ତ ସୂଚନା ମୁତାବକ, ଆଗାମୀ ପାଳିରେ ମଧ୍ୟ ଏହି ସ୍ୱେଚ୍ଛାସେବୀମାନେ ମନ୍ଦିରରେ ସେବା କାର୍ଯ୍ୟ ଜାରୀ ରଖିବେ ବୋଲି ମନସ୍ଥ କରିଛନ୍ତି ।