ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟିର ଭର୍ଚୁଆଲ ବୈଠକ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ସକାଶେ ବିଭାଗୀୟ ପ୍ରାକ୍‌ ପ୍ରସ୍ତୁତିର ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭର୍ଚୁଆଲ୍‌ ମାଧ୍ୟମରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚୁଆଲ ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ / ଅଧ୍ୟକ୍ଷା, ପିଡି ଡିଆର୍‌ଡ଼ିଏ ଡ.ମହେଶ୍ୱର ସ୍ୱାଇଁ, ପିଡ଼ି ଡୁଡ଼ା ସୁଦର୍ଶନ ସାଏଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ପୌର ପରିଷଦ ଓ ଏନ୍‌ଏସିର ନିର୍ବାହୀ ଅଧିକାରୀ, ଓଡ୍ରାଫ୍‌ ଓ ଅଗ୍ନିଶମ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ କୋଭିଡ଼ ପରିଚାଳନାରେ ଜନପ୍ରତିନିଧି, ଅନୁଷ୍ଠାନ, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ କୋଭିଡ଼ ମହାମାରୀର ମୁକାବିଲା ପାଇଁ ଅନୁରୂପ ସହଯୋଗ କାମନା କରିଥିଲେ । ସମ୍ଭାବ୍ୟ ପ୍ରାକୃତିକ ବିପର୍ୟ୍ୟୟ, ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ବନ୍ୟା ଦ୍ୱାରା ଯେଉଁ ଅଂଚଳଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ଅଛି, ସେହି ଅଂଚଳ ଗୁଡ଼ିକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଗତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ନଦୀବନ୍ଧ, ଚେକ୍‌ ଡ୍ୟାମ୍‌ ଗୁଡ଼ିକୁ ଯଥାଶୀଘ୍ର ମରାମତି କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ବର୍ଷା ପୂର୍ବରୁ ଜିଲ୍ଲାର ପୌର ପରିଷଦ ଓ ଏନ୍‌ଏସି ଅନ୍ତର୍ଗତ ସମସ୍ତ ୱାର୍ଡ ଓ ବସ୍ତିଗୁଡ଼ିକରେ ଥିବା ଡ୍ରେନ୍‌ ଗୁଡ଼ିକୁ ସଫା କରିବା ନିମନ୍ତେ ତ୍ୱରୀତ ପଦକ୍ଷେପ ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା । ଲକ୍ଷ୍ମୀଜୋର ବନ୍ୟା ସୁରକ୍ଷା ତଟବନ୍ଧ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ମୌସୁମୀ ପୂର୍ବରୁ ଏ ସଂପର୍କିତ ସମସ୍ୟାର ସମାଧାନ ଉପରେ ମଧ୍ୟ ଆଲୋଚନା ହୋଇଥବଲା । ବନ୍ୟା ପ୍ରବଣ ଅଂଚଳ ଓ ଦୁର୍ଗମ ଅଂଚଳରେ ଆବଶ୍ୟକ ସାମଗ୍ରୀ ଯଥା ଚୁଡ଼ା, ଚାଉଳ, ଗୁଡ଼, କିରୋସିନ ଇତ୍ୟାଦି ସାମଗ୍ରୀ ଯଥେଷ୍ଟ ପୂର୍ବରୁ ମହଜୁଦ କରି ରଖିବା, ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ଗୁଡ଼ିକରେ ଆବଶ୍ୟକ ପରିମାଣରେ ଔଷଧ, ହେଲୋଜେନ୍‌ ବଟିକା, ବ୍ଲିଚିଂ ପାଉଡ଼ର, ଓଆର୍‌ଏସ୍‌ ପ୍ୟାକେଟ୍‌ ଇତ୍ୟାଦି ମହଜୁଦ ରଖିବା ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ଇଂଜେକ୍‌ସନ୍‌ ଉପଲବ୍ଧ କରାଇବା ଉପରେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଗ୍ରାମାଂଚଳ ଓ ସହରାଂଚଳ ଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ତଥା ପରିମଳ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରିବା, ଆବଶ୍ୟକତା ଅନୁସାରେ ସାର ଓ ବିହନ ମହଜୁଦ କରି ରଖିବା, ସାରର କଳାବଜାରୀ ରୋକିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା, ପ୍ରାଣୀ ସଂପଦର ସୁରକ୍ଷା ସକାଶେ ଜିଲ୍ଲାର ସମସ୍ତ ପ୍ରାଣୀଧନ କେନ୍ଦ୍ର ନିୟମିତ କାର୍ୟ୍ୟକ୍ଷମ କରିବା ଉପରେ ସୁନିଶ୍ଚିତ କରିବା ସହ ଆବଶ୍ୟକ ଔଷଧ ରଖିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କାର୍ୟ୍ୟ ଖସଡ଼ା ସଂପର୍କରେ ବୈଠକରେ ସୂଚନା ଦେଇଥିଲେ । ବୈଠକ ଶେଷରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ରୀନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.