oom

ଥାନା ଭିତରେ ଏଏସ୍‌ଆଇଙ୍କ ଦାଦାଗିରି : କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନାରେ ଆଜି ଜଣେ ଏଏସ୍‌ଆଇଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ସଂପୃକ୍ତ ଅଧିକାରୀ । ସୂଚନା ଅନୁସାରେ ‘କୋଶଳ ପ୍ରବାହ’ର ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଆଜି ସଂଧ୍ୟାରେ ଖବର ସଂଗ୍ରହ ପାଇଁ ଆଦର୍ଶ ଟାଉନ୍‌ ଥାନାକୁ ଯାଇଥିବା ବେଳେ ଗିରଫ୍‌ ହୋଇଥିବା ୨ ଜଣ ଅଭିଯୁକ୍ତଙ୍କ ଫଟୋ ନେଇ ପାରିବି କି ବୋଲି ଡ୍ୟୁଟିରେ ଥିବା ଏଏସ୍‌ଆଇ ଦୟାନନ୍ଦ ଷଡ଼ଙ୍ଗୀଙ୍କୁ ପଚାରିବାରୁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ ସଂପୃକ୍ତ ଅଧିକାରୀ । ଏହାପରେ ସାମ୍ବାଦିକ ଜଣକ କିଛି ଉତ୍ତର ନ ଦେଇ ଥାନା ସାମ୍ନାରେ ଥିବା ସାମ୍ବାଦିକମାନଙ୍କ ନିକଟକୁ ଚାଲି ଆସିଥିଲେ । ତେବେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଲେ ଯେ, ଅନ୍ୟ ସମସ୍ତ ସାମ୍ବାଦିକ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସାରିଛନ୍ତି । ତେବେ ସାମ୍ବାଦିକ ଦେବାଶିଷ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ କେବଳ ମୋତେ ଫଟୋ ନେବାକୁ କାହିଁକି ମନା କଲେ ବୋଲି ପଚାରିବାରୁ ରାଗରେ ପଞ୍ଚମ ହୋଇ ଉଠିଲେ ଅଧିକାରୀ ଏବଂ ସଂପୃକ୍ତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଥାନାରୁ ବାହାରିଯିବାକୁ ଧମକ୍‌ ଦେଇଥିଲେ ବୋଲି ପୀଡ଼ିତ ସାମ୍ବାଦିକ ଜଣକ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଥାନା ସହିତ ସାଧାରଣ ଜନତାଙ୍କୁ ଯୋଡ଼ି ରଖିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଜଣେ ଏଏସ୍‌ଆଇଙ୍କ ଏଭଳି ଦାଦାଗିରି ପ୍ରଦର୍ଶନ କେତେଦୂର ଗ୍ରହଣୀୟ, ତାହା ଚିନ୍ତାର ବିଷୟ । ପୁଣି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ପୋଲିସ ଏଏସ୍‌ଆଇ ଯଦି ଥାନା ଭିତରେ ଏଭଳି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ତେବେ ସେ ନିରୀହ ଜନତାଙ୍କ ପ୍ରତି କିଭଳି ବ୍ୟବହାର ପ୍ରଦର୍ଶନ କରୁଥିବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଆଦର୍ଶ ଥାନାର ମର୍ଯ୍ୟାଦାକୁ ହନନ କରୁଥିବା ଏଭଳି ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସାମ୍ବାଦିକମାନେ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.