ଗୋଛା କଟା ପରେ ପୋଡ଼ିବାକୁ ଆସିଛି ନିର୍ଦ୍ଦେଶ : କେନ୍ଦୁପତ୍ର ବିଭାଗର ବେପରୁଆ ନୀତି ଯୋଗୁଁ ହୁ ହୁ ହୋଇ ଜଳି ନଷ୍ଟ ହେଉଛି ଜଙ୍ଗଲ ସହ ବହୁ ମୂଲ୍ୟବାନ ବନଜାତ ସଂପଦ, ସାଧାରଣରେ ଅଭିଯୋଗ
ଦେଓଗାଁ, (ମନୀଷ କୁମାର ସାହୁ) : ସବୁଜ ହୀରା ବା କେନ୍ଦୁପତ୍ର ସଂଗ୍ରହ ପାଇଁ ଏବେ ଗୋଛା କଟା ଚାଲୁଛି । ହେଲେ ବିଭାଗର ବେପରୁଆ ନୀତି ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହେଉଛି ଜଙ୍ଗଲ । ଗୋଛା କାଟିବା ପରେ ସବୁ ଗଛକୁ ପୋଡ଼ି ଦିଆଯାଉଛି । ଫଳରେ ନିଆଁ ନିୟନ୍ତ୍ରଣ ବାହାରକୁ ଯାଇ ଜଙ୍ଗଳକୁ ବ୍ୟାପୁଛି । ବେଫିକର ଭାବେ କେନ୍ଦୁପତ୍ର ବିଭାଗ ଗୋଛା କାଟି ପୋଡ଼ି ଚାଲୁଥିବା ବେଳେ ନିଆଁ ଲିଭାରେ ନାକେଦମ ହେଉଛି ବନ ବିଭାଗ । କେନ୍ଦୁପତ୍ର ସଂଗ୍ରହ ପାଇଁ ଚାରିଆଡ଼େ ଏବେ ଚାଲିଛି ଗୋଛାକଟା । ଏହି କେନ୍ଦୁ ଗୋଛାଗୁଡ଼ିକ କାଟି ସାରିଲା ପରେ ପୋଡ଼ି ଦେବାର ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁପତ୍ର ବିଭାଗର ଡିଏଫ୍ଓ, ଏ କଥା ଆମେ କୁହୁନୁ, ଖୋଦ୍ କେନ୍ଦୁପତ୍ର ବିଭାଗର କର୍ମଚାରୀମାନେ କହି ବୁଲୁଛନ୍ତି । ଡିଏଫ୍ଓ ଗୋଛା ପୋଡ଼ିବାକୁ କହୁଥିବା ବେଳେ ତାର ଓଲଟା କାର୍ୟ୍ୟ କରୁଛନ୍ତି ବିଭାଗୀୟ କର୍ମଚାରୀମାନେ । ଏପରିକି ଯେଉଁଠି ଗୋଚ୍ଛା କଟା ହେଉଛି ସେହି ସ୍ଥାନରେ ହିଁ ନିଆଁ ଲଗାଇ ଚାଲି ଯାଉଛନ୍ତି ମୁନସୀମାନେ ନିଆଁକୁ । ଆୟତ୍ତ କରି ପାରୁ ନଥିବାରୁ ଜଙ୍ଗଲ ଯୋଡ଼ି ଯାଉଛି ବୋଲି ଜଣେ ଚେକର୍ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଦେଓଗାଁ ମେଣ୍ଢା ଫାର୍ମ ଜଙ୍ଗଲର ଚାରିପାଖରେ ହାତୀସରା, ସାରସବାଜାଇ, ନାଇକେନସିରା, ବହଲି କେନ୍ଦୁପତ୍ର ଫଡ଼ି ଅଞ୍ଚଳରେ ଗୋଛାଜାଗ ହୋଇଛି। ଗତ ୫ଦିନ ଭିତରେ ଭାଟି ରାସ୍ତା, ଢାବା ପଛପଟ, ନାଇକେସିରା, ଫ୍ରାଏଆସ୍ ଇଟା ଫେକ୍ଟ୍ରି ନିକଟରେ ଗୋଚ୍ଛାକଟା ହୋଇଥିଲା । କିନ୍ତୁ, ଏଠାରେ ଗୋଟିଏ ପରେ ଗୋଟିଏ ରାସ୍ତାରେ ନିଆଁ ଲାଗୁଛି । ଯେଉଁ କ୍ରମରେ ଗୋଛା କାଟିଛନ୍ତି ସେହି କ୍ରମରେ ନିଆଁ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଦେଓଗାଁରେ ପାଖରେ ଥିଲେ ବି ସଇଁନ୍ନ୍ତଲା ରେଞ୍ଜର୍ ଜଙ୍ଗଲ ହୋଇଥିବାରୁ ନିଆଁ ଲିଭାଇବା ପାଇଁ କେହି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ହେଲେ ଲୋକଙ୍କ ଧନ ଜୀବନ ରକ୍ଷା ପାଇଁ ନିଯୁକ୍ତ ଅଗ୍ନିଶମ ବାହିନୀ ଏହି ଜଙ୍ଗଲ ନିଆଁ ଲିଭାଇବାରେ ବ୍ୟସ୍ତ ରହୁଛନ୍ତି । ଏପରିକି ଗତ ବୁଧବାର ୪ଟି ସ୍ଥାନରେ ଲାଗିଥିବା ନିଆଁକୁ ଅଗ୍ନିଶମ ବିଭାଗ ଆୟତ୍ତ କରିଥିବାରୁ ବନ ବିଭାଗର ସ୍କ୍ୱାର୍ଡ କେଉଁ କାମକୁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।