
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲାର ଦାଦନଗଡ଼ କୁହାଯାଉଥିବା ବଙ୍ଗୋମୁଣ୍ଡା ବ୍ଲକରେ ଲୋକଙ୍କୁ କାମ ଯୋଗାଉଛି ମନରେଗା ଯୋଜନା । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଶେଷ ସୀମାରେ ଥିବା ଠେମରା ପଞ୍ଚାୟତର ବିଭିନ୍ନ ଗାଁରେ ଯେଉଁ ଭଳି ମନରେଗା କାର୍ଯ୍ୟ କରି ଶ୍ରମିକ ମାନେ ଲାଭବାନ ହେଉଥିବା ଜଣାପଡିଛି । ଦିନ ଥିଲା ଏହି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ପ୍ରତ୍ୟେକ ବର୍ଷ ଦାଦନ ଖଟିବାକୁ ଯାଉଥିଲେ । ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ମାନେ ଏକଜୁଟ ହୋଇ ଶ୍ରମିକ ସହ ଅନ୍ୟ ଲୋକଙ୍କୁ ସଚେତନ କରିବା ଫଳରେ ଏହି ଅଞ୍ଚଳରୁ ବାହାର ରାଜ୍ୟକୁ ଆଉ ଦାଦନ ଖଟିବାକୁ ଯାଉନଥିବା ଦେଖିବାକୁ ମିଳିଛି । ଘରର ମୁଖ୍ୟ ସହ ଅନ୍ୟ ସଦସ୍ୟ ମାନେ ମନରେଗା ଯୋଜନାରେ ହେଉଥିବା ବିଭିନ୍ନ କାମ କରି ଠିକ ସମୟରେ ପାଉଣା ପାଇ ପରିବାରକୁ ସୁରୁଖୁରୁରେ ଚଳାଉଛନ୍ତି । ପରିବାରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ମଧ୍ୟ ସମାଧାନ ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ଅନେକ ପୋଖରୀରେ ଗ୍ରୀଷ୍ମ ଋତୁରେ ପାଣି ରହୁନଥିଲା । ତେବେ ମନରେଗା ଯୋଜନାରେ କାର୍ଯ୍ୟ ହେବା ପରେ ପୋଖରୀ ରେ ପ୍ରଚୁର ପରିମାଣରେ ପାଣି ଭର୍ତ୍ତି ରହୁଥିବା ଦେଖିବାକୁ ମିଳିଛି । ବର୍ଷା ଦିନରେ ମଧ୍ୟ ମନରେଗା ଯୋଜନାରୁ ଉପଯୁକ୍ତ ସ୍ଥାନରେ ଶତାଧିକ ଶ୍ରମିକମାନେ କାମ କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ଅଞ୍ଚଳର ଅନେକ ମହିଳା ଓ ପୁରୁଷ ମାନେ ମାଛ ଚାଷ କରି ସମସ୍ତେ ସ୍ୱାବଲମ୍ବୀ ହେଉଥିବା ଜଣାପଡିଛି । କାମ କରି ନିଜ ବ୍ୟାଙ୍କ ଖାତାରେ ଟଙ୍କା ପଡି ଯାଉଥିବା ଯୋଗୁଁ ସେମାନେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଆଉ ଦୌଡ଼ିବାକୁ ପଡୁନଥିବା ଜଣାପଡିଛି । ବିଭିନ୍ନ କାମ ଯୋଗାଇ ଦେଉଥିବାରୁ ପ୍ରଶାସନଙ୍କୁ ମଧ୍ୟ ଶ୍ରମିକ ମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଠେମରା ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ ଏଠାରେ ସରପଞ୍ଚ ହେବା ପରେ ପରେ ଲୋକମାନେ ମନରେଗା ଯୋଜନାରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଜଣାପଡିଛି । ମଜୁରୀ ଟଙ୍କା ବୃଦ୍ଧି କରିବା ପାଇଁ ଶ୍ରମିକ ମାନେ ଦାବି କରିଛନ୍ତି ।