ଅଧିକ ଭିଡ଼ ଥିବା ୭୩ଟି ପ୍ରମୁଖ ରେଳ ଷ୍ଟେସନରେ ନିଯୁକ୍ତ ହେବେ ଷ୍ଟେସନ ନିର୍ଦ୍ଦେଶକ

● କ୍ଷମତା ଅନୁଯାୟୀ ଟିକେଟ୍ ବିକ୍ରିକୁ ସୀମିତ ରଖିବା ଏବଂ ପାର୍ବଣ ଭିଡ଼ ସମୟରେ ଟ୍ରେନ୍ ଉପଲବ୍ଧତାକୁ ପରିଚାଳନା କରିବା ଭଳି ‘ତ୍ୱରିତ ଭିଡ଼ କମାଇବାର ନିଷ୍ପତ୍ତି’ ଗ୍ରହଣ କରିପାରିବେ
● ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ ଏବଂ ଷ୍ଟେସନ ବାହାରେ ସ୍ଥାୟୀ ପ୍ରତୀକ୍ଷା କ୍ଷେତ୍ର ସୃଷ୍ଟି ସହିତ ଭିଡ଼ ପରିଚାଳନାରେ ସୁଧାର ଆଣିବ ରେଳବାଇ
● ୫ଟି ଷ୍ଟେସନରେ ପ୍ରତୀକ୍ଷା କ୍ଷେତ୍ର ପାଇଁ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବା ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
● ପ୍ରବଳ ଭିଡ଼ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ସିସିଟିଭି ନିରୀକ୍ଷଣ, ୱାକି-ଟକି, ଘୋଷଣା ପ୍ରଣାଳୀ ଏବଂ ଜରୁରିକାଳନୀ ପ୍ରକୋଷ୍ଠ ସ୍ଥାପନ କରାଯାଉଛି
● କେବଳ ନିଶ୍ଚିତ ବା କନଫର୍ମ ଟିକେଟ୍ ଧାରକମାନଙ୍କୁ ପ୍ଲାଟଫର୍ମକୁ ସିଧାସଳଖ ପ୍ରବେଶ ଅନୁମତି ଦିଆଯିବ; ବିନା ଟିକେଟ୍ ଏବଂ ପ୍ରତୀକ୍ଷା ବା ୱେଟିଂ ତାଲିକାରେ ଥିବା ଯାତ୍ରୀମାନେ ଟ୍ରେନ୍ ଆସିବା ପର୍ଯ୍ୟନ୍ତ ବାହାର ପ୍ରତୀକ୍ଷା କ୍ଷେତ୍ରରେ ରହିବେ

ନୂଆଦିଲ୍ଲୀ, (ପିଆଇବି) : ରେଳ ଷ୍ଟେସନ ଗୁଡ଼ିକରେ ହେଉଥିବା ପ୍ରବଳ ଯାତ୍ରୀ ଭିଡ଼ ପରିଚାଳନା ଲାଗି ଭାରତୀୟ ରେଳବାଇ କେତେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି । ରେଳ ମନ୍ତ୍ରୀଙ୍କ ସୂଚନା ମୁତାବକ ଅଧିକ ଭିଡ଼ ଥିବା ୭୩ଟି ଷ୍ଟେସନକୁ ଚିହ୍ନଟ କରାଯାଇଛି । ଏସବୁ ସ୍ଥାନରେ ଭିଡ଼ ପରିଚାଳନା ଲାଗି ସ୍ଥାୟୀ ପ୍ରତୀକ୍ଷା ସ୍ଥାନ ବା ହୋଲ୍ଡିଂ ଏରିଆ ନିର୍ମାଣ କରାଯିବ । ପୂର୍ବରୁ ୨୦୨୪ ମସିହାର ପାର୍ବଣ ଋତୁରେ, ଷ୍ଟେସନ ବାହାରେ ହୋଲ୍ଡିଂ ଏରିଆ ସୃଷ୍ଟି କରାଯାଇଥିଲା । ଏହି ପ୍ରତୀକ୍ଷା କ୍ଷେତ୍ରଗୁଡ଼ିକ ସୁରଟ, ଉଧନା, ପାଟନା ଏବଂ ନୂଆଦିଲ୍ଲୀରେ ବହୁ ସଂଖ୍ୟାରେ ଭିଡ଼ ଜମାଇ ପାରିଥିଲା । ଟ୍ରେନ୍ ପ୍ଲାଟଫର୍ମକୁ ଆସିଲେ ହିଁ ଯାତ୍ରୀମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ପ୍ରୟାଗ ଅଞ୍ଚଳର ନଅଟି ଷ୍ଟେସନରେ ମହାକୁମ୍ଭ ସମୟରେ ସମାନ ବ୍ୟବସ୍ଥା କରାଯାଇଥିଲା । ଏହି ଷ୍ଟେସନଗୁଡ଼ିକର ଅଭିଜ୍ଞତାକୁ ଆଧାର କରି, ପ୍ରବଳ ଭିଡ଼ ହେଉଥିବା ଦେଶର ୭୩ଟି ଷ୍ଟେସନରେ ଷ୍ଟେସନ ବାହାରେ ସ୍ଥାୟୀ ପ୍ରତୀକ୍ଷା କ୍ଷେତ୍ର ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଛି, ଯେଉଁଠାରେ ସମୟ ସମୟରେ ହୋଇଥାଏ । ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବା ପରେ ହିଁ ଯାତ୍ରୀମାନଙ୍କୁ ପ୍ଲାଟଫର୍ମକୁ ଯିବାକୁ ଅନୁମତି ଦିଆଯିବ । ଏହା ପ୍ଲାଟଫର୍ମଗୁଡ଼ିକରେ ଭିଡ଼ ହ୍ରାସ କରିବ। ନୂଆଦିଲ୍ଲୀ, ଆନନ୍ଦ ବିହାର, ବାରାଣସୀ, ଅଯୋଧ୍ୟା ଏବଂ ଗାଜିଆବାଦ ଷ୍ଟେସନରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି । ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ସମସ୍ତ ପ୍ରମୁଖ ଷ୍ଟେସନରେ ଷ୍ଟେସନ ନିର୍ଦ୍ଦେଶକ ଭାବରେ ଜଣେ ବରିଷ୍ଠ ଅଧିକାରୀ ନିୟୋଜିତ ରହିବେ । ଅନ୍ୟ ସବୁ ବିଭାଗ ଷ୍ଟେସନ ନିର୍ଦ୍ଦେଶକଙ୍କୁ ରିପୋର୍ଟ କରିବେ । ଷ୍ଟେସନ ନିର୍ଦ୍ଦେଶକଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯିବ ଯାହାଦ୍ଵାରା ସେ ଷ୍ଟେସନର ଉନ୍ନତି ପାଇଁ ତ୍ୱରିତ ନିଷ୍ପତ୍ତି ନେଇପାରିବେ । ଷ୍ଟେସନ ଏବଂ ଉପଲବ୍ଧ ଟ୍ରେନର କ୍ଷମତା ଅନୁସାରେ ଟିକେଟ ବିକ୍ରୟ ନିୟନ୍ତ୍ରଣ କରିବା ପାଇଁ ଷ୍ଟେସନ ନିର୍ଦ୍ଦେଶକଙ୍କୁ କ୍ଷମତା ଦିଆଯିବ । ସବୁ କର୍ମଚାରୀଙ୍କୁ ନୂତନ ଡିଜାଇନ୍ ୟୁନିଫର୍ମ ଦିଆଯିବ ଯାହାଦ୍ୱାରା ସେମାନଙ୍କୁ ସଙ୍କଟକାଳୀନ ପରିସ୍ଥିତିରେ ସହଜରେ ଚିହ୍ନଟ କରାଯାଇପାରିବ । ସେହିପରି ସମସ୍ତ କର୍ମଚାରୀ ଓ ସେବା ପ୍ରଦାନକାରୀଙ୍କୁ ଏକ ନୂତନ ଡିଜାଇନ୍ ପରିଚୟପତ୍ର ଦିଆଯିବ ଯାହା ଦ୍ୱାରା କେବଳ କ୍ଷମତାପ୍ରାପ୍ତ ବ୍ୟକ୍ତିମାନେ ଷ୍ଟେସନ ଭିତରକୁ ପ୍ରବେଶ କରିପାରିବେ । ୭୩ଟି ଚିହ୍ନଟ ଷ୍ଟେସନରେ ସମ୍ପୂର୍ଣ୍ଣ ପ୍ରବେଶ ନିୟନ୍ତ୍ରଣ ଆରମ୍ଭ କରାଯିବ । ନିଶ୍ଚିତ ସଂରକ୍ଷିତ ବା କନଫର୍ମ ରିଜର୍ଭେସନ ଟିକେଟ୍ ଥିବା ଯାତ୍ରୀମାନଙ୍କୁ ପ୍ଲାଟଫର୍ମକୁ ସିଧାସଳଖ ପ୍ରବେଶ ଦିଆଯିବ । ଟିକେଟ୍ ନଥିବା କିମ୍ବା ଅପେକ୍ଷା ତାଲିକା ଟିକେଟ୍ ଥିବା ଯାତ୍ରୀମାନେ ବାହାର ଅପେକ୍ଷା କ୍ଷେତ୍ର ବା ହୋଲ୍ଡିଂ ଏରିଆରେ ଅପେକ୍ଷା କରିବେ । ସମସ୍ତ ଅନଧିକୃତ ପ୍ରବେଶ ସ୍ଥାନଗୁଡ଼ିକୁ ସିଲ୍ କରାଯିବ । ଅଧିକ ଭିଡ଼ ଥିବା ଷ୍ଟେସନଗୁଡ଼ିକରେ ୱାକି-ଟକି, ଘୋଷଣା ପ୍ରଣାଳୀ, କଲିଂ ପ୍ରଣାଳୀ ଭଳି ଅତ୍ୟାଧୁନିକ ଡିଜାଇନର ଡିଜିଟାଲ୍ ଯୋଗାଯୋଗ ଉପକରଣ ସଂଯୋଗ କରାଯିବ । ବଡ଼ ଷ୍ଟେସନଗୁଡ଼ିକରେ ଜରୁରୀକାଳୀନ କୋଠରୀ ବିକଶିତ କରାଯିବ । ଭିଡ଼ ପରିସ୍ଥିତି ସମୟରେ ସମସ୍ତ ବିଭାଗର ଅଧିକାରୀମାନେ ଏହି କୋଠରୀରେ କାର୍ଯ୍ୟ କରିବେ । ମହାକୁମ୍ଭ ସମୟରେ ଭିଡ଼ ପରିଚାଳନାରେ କ୍ୟାମେରାଗୁଡ଼ିକ ବହୁଳ ଭାବରେ ସାହାଯ୍ୟ କରିଥିଲା । ରେଳ ଷ୍ଟେସନ ଓ ତତସଂଲଗ୍ନ ଅଞ୍ଚଳରେ ଥିବା ସିସି କ୍ୟାମେରାଗୁଡ଼ିକ ରେଳ ଷ୍ଟେସନରେ ଭିଡ଼ ଉପରେ କଡ଼ା ନଜର ରଖିବା ଏବଂ ପରିଚାଳନା କରିବାରେ ସାହାଯ୍ୟ କରିବ । ୧୨ ମିଟର ଚଉଡା (୪୦ ଫୁଟ) ଏବଂ ୬ ମିଟର ଚଉଡା (୨୦ ଫୁଟ) ମାନକ ପାଦଚଲା ଓଭର ବ୍ରିଜର ଦୁଇଟି ନୂତନ ଡିଜାଇନ୍ ବିକଶିତ କରାଯାଇଛି । ମହାକୁମ୍ଭ ସମୟରେ ଭିଡ଼ ପରିଚାଳନାରେ ରାମ୍ପ ସହିତ ଏହି ପ୍ରଶସ୍ତ ପାଦଚଲା ଓଭର ବ୍ରିଜ ବହୁତ ପ୍ରଭାବଶାଳୀ ଥିଲା । ସମସ୍ତ ଷ୍ଟେସନରେ ଏହି ନୂତନ ମାନର ଚଉଡା ପାଦଚଲା ଓଭର ବ୍ରିଜ ନିୟୋଜିତ ହେବ । ଏହା ବ୍ୟତୀତ, ଭିଡ଼ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସରକାରୀ ରେଳ ପୁଲିସ/ରାଜ୍ୟ ପୁଲିସ ଏବଂ ରେଳ ବିଭାଗ ସହିତ ସମନ୍ୱୟ ରଖିବାର ବ୍ୟବସ୍ଥା କରାଯାଇଛି । ପ୍ରବଳ ଭିଡ଼ ସମୟରେ ସୁଗମ ଭାବରେ ଭିଡ଼ ନିୟନ୍ତ୍ରଣ କରିବା ଏବଂ ଯାତ୍ରୀମାନଙ୍କୁ ବାସ୍ତବ ସମୟରେ ସହାୟତା ପ୍ରଦାନ କରିବା ପାଇଁ ସରକାରୀ ରେଳ ପୁଲିସ ଏବଂ ରେଳ ସୁରକ୍ଷା ବଳ କର୍ମଚାରୀମାନଙ୍କୁ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରାଯାଇଛି । ପ୍ରବଳ ଭିଡ଼ ସମୟରେ ଦଳାଚକଟା ପରି ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଆରପି ଏବଂ ଆରପିଏଫ କର୍ମଚାରୀମାନଙ୍କୁ ଫୁଟ-ଓଭର ବ୍ରିଜରେ ସୁଗମ ଭାବରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ କରାଯାଇଛି । ଭିଡ଼ ବିଷୟରେ ସୂଚନା ସଂଗ୍ରହ ପାଇଁ ଗୁପ୍ତଚର ୟୁନିଟ୍ ଥକ୍ରାଇମ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ (ସିଆଇବି)/ସ୍ପେଶାଲ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ (ଏସଆଇବି)ଧ ଏବଂ ସାଦା ପୋଷାକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତଦନୁସାରେ ଜିଆରପି/ପୁଲିସଙ୍କ ମୁତୟନ ବ୍ୟବସ୍ଥା କରାଯାଇଛି ।

jittmm
Leave A Reply

Your email address will not be published.