
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଓଡ଼ିଶାର ପରମ୍ପରା, ଐତିହ୍ୟ, ଚଳଣି ବହୁ ପ୍ରାଚୀନ ଏବଂ ଶ୍ରେଷ୍ଠ । ପ୍ରତ୍ୟେକ ଓଡ଼ିଆ ପ୍ରାଣଭରି ଏହାକୁ ଭଲପାଇ ଏହାର ରକ୍ଷା ପାଇଁ କାର୍ଯ୍ୟ କରିବା ଉଚିତ୍ । ଅନ୍ୟ ଭାଷା ଶିକ୍ଷା କର, କିନ୍ତୁ ନିଜର ସୁନ୍ଦର ମାତୃଭାଷା, କଥା, ଗାଥା, ଚଳଣି, ସଂସ୍କୃତି ସାହିତ୍ୟକୁ ନ ଭୁଲି ନିଜ ନିଜର ସତ୍ ବାଟରେ ଆଗେଇ ଚାଲିବାକୁ ୮୮ତମ ଉତ୍କଳ ଦିବସ ପାଳନ ଅବସରରେ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ, ସହକାରୀ ଶିକ୍ଷକ ଅଭୟ ଚରଣ ସାହୁ, ନାରାୟଣ ବରାଳ, ଟିକେଇ ଦଳାଇ, ସୋମନାଥ ବେହେରା, ମାନସ ରଞ୍ଜନ ସ୍ୱାଇଁ, ଶିକ୍ଷୟିତ୍ରୀ ପାପଲିନ୍ ପ୍ରଧାନ, ସତ୍ୟଭାମା ବେହେରା, କ୍ରୀଡ଼ା ଶିକ୍ଷୟିତ୍ରୀ ପ୍ରିୟତମା ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି । ପ୍ରାରମ୍ଭରେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଓଡ଼ିଆ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ମଧୁବାବୁ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି, ଶ୍ରୀରାମ ଚନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, ଗଉରୀଶଙ୍କର, ରାଧାନାଥ ରାୟ ପ୍ରମୁଖଙ୍କ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସେମାନଙ୍କର ଅସୀମ ତ୍ୟାଗ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ ।