
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ ଅନ୍ତର୍ଗତ ଅପାମରା ଗାଁରେ ଶିକ୍ଷା ତଥା ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରରେ ଆଗୁଆ ଥିଲେ ହେଁ ବିକାଶ ପଥରେ ବାଧା ସୃଷ୍ଟି କରୁଛି ଗ୍ରାମ୍ୟ ରାସ୍ତା । ଗାଁରୁ ପ୍ରାୟ ୩ଶହ ମିଟର ଦୂରରେ ପଞ୍ଚାୟତକୁ ଯାଇଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ । କିନ୍ତୁ ଏହି ରାସ୍ତା ମାଟି କାଦୁଅ ରାସ୍ତା ହୋଇଥିବାରୁ ଗ୍ରାମବାସୀ ବିଭିନ୍ନ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ କୌଣସି ବଡ଼ ଯାନବାହାନ ଯିବା ଆସିବା କରି ପାରୁନଥିବାରୁ ମଧ୍ୟ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ରାସ୍ତା ପାଇଁ ସବୁ ନିର୍ବାଚନ ପୂର୍ବରୁ ନେତାଙ୍କ ଠାରୁ ମିଥ୍ୟା ପ୍ରତିଶ୍ରୁତି ଶୁଣିବାକୁ ମିଳିଥାଏ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାକୁ ନେଇ ପ୍ରଶାସନ, ବିଧାୟକ, ଜନ ପ୍ରତିନିଧିମାନଙ୍କୁ ଦାବୀପତ୍ର ଦିଆଯାଇଥିଲେ ମଧ୍ୟ ଦୀର୍ଘ ପଚିଶ ବର୍ଷ ମଧ୍ୟରେ ରାସ୍ତାର ସ୍ଥାୟୀ ସମାଧାନ ହୋଇପାରିନାହିଁ । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ।