ଚିଠିର ଉତ୍ତର ପାଇଁ ଲାଗିଲା ୨୦ମାସରୁ ଅଧିକ ସମୟ : ରାଜ୍ୟକୁ ଜାତୀୟ ରାଜପଥ ମରାମତି ପାଇଁ କେନ୍ଦ୍ର ଦେଉଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ- ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧିନ କେନ୍ଦ୍ର ସରକାର ଦେଶର ବିକାଶକୁ ନେଇ ଅନେକ ବାହାବା ନେଉଥିବା ବେଳେ ଅନ୍ୟାନ୍ୟ ରାଜ୍ୟକୁ କେଉଁ ବିଭାଗରେ କେତେ ଅନୁଦାନ କେନ୍ଦ୍ର ଦେଉଛି ସେ ତ ଅଲଗା କଥା । ଯଦି ଓଡିଶା ଯେଉଁ ରାଜ୍ୟ କି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ସେ ରାଜ୍ୟକୁ ଅନୁଦାନ ଦେବା ବେଳେ କେନ୍ଦ୍ର ସରକାର ଯାହା ତଥ୍ୟ ଦେଉଛନ୍ତି ତାହା ବହୁତ ହାସ୍ୟାସ୍ପଦ ଅଟେ ଏବଂ ତଥ୍ୟ ଦେଖିଲେ ପ୍ରମାଣିତ ହେଇଯାଉଛି ଯେ କେନ୍ଦ୍ର ସରକାର ଓଡିଶା ପ୍ରତି କେତେ ପରିମାଣରେ ବୈମାତୃକ ମନୋଭାବ ରଖିଛନ୍ତି । ଉଦାହରଣ ସ୍ୱରୁପ ୨୦୧୯ ମସିହା ଅଗଷ୍ଟ ୧୩ ବନ୍ୟା ପରେ ଅନେକ ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଥିଲା । ସେଥି ପାଇଁ ଡିସେମ୍ବର ୭ ତାରିଖ ଏବଂ ପରବର୍ତ୍ତି ଜାନୁୟାରୀ ମାସ ୭ ତାରିଖ ଦିନ କେନ୍ଦ୍ର ସରକାରଙ୍କୁ କ୍ଷତିଗ୍ରସ୍ତ ହୋଇଥିବା ଜାତୀୟ ରାଜପଥ ମରାମତି ପାଇଁ ସ୍ୱତନ୍ତ୍ର ଏଫ୍ଡିଆର ଅନୁଦାନ ମଗାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାରଙ୍କର ସବୁଠାରୁ ଦକ୍ଷ ବିଭାଗୀୟ ମନ୍ତ୍ରୀ କୁହାଯାଉଥିବା ନିତିନ ଗଡକରୀ ଯେ କି ରୋଡ ପରିବହନ ଏବଂ ଜାତୀୟ ରାଜପଥ ବିଭାଗୀୟ ମନ୍ତ୍ରୀ ଅଛନ୍ତି ତାଙ୍କ ଠାରୁ ଉତ୍ତର ଆସିବା ପାଇଁ ଦୀର୍ଘ ୨୦ ମାସ ଲାଗିଛି । ଏଥିରୁ ତାଙ୍କ କଥା ଓ କାର୍ଯ୍ୟରେ ଅନେକ ଫରକ ରହୁଛି ଏବଂ କେନ୍ଦ୍ର ସରକାର ଦେଶର ବିକାଶକୁ ନେଇ ନାରାବାଜି ଲୋକ ଦେଖାଣିଆ ବୋଲି ବିଧାୟକ ଶ୍ରୀ ମିଶ୍ର ଜଣାଇଛନ୍ତି । ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଓଡିଶା ଏକ ବନ୍ୟା, ବାତ୍ୟା ପ୍ରବଣ ରାଜ୍ୟ । ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା ଯୋଗୁଁ ଶହ ଶହ କିଲୋମିଟର ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଥାଏ । କିନ୍ତୁ ସେ ସବୁ ମରାମତି ରକ୍ଷଣାବେକ୍ଷଣ ପାଇଁ ୨୦୧୯-୨୦ ମସିହାରେ ଏଫ୍ଡିଆର ଫଣ୍ଡ ମାତ୍ର ୬ କୋଟି ୫୦ ଲକ୍ଷ ଟଙ୍କା ଆସିଥିଲା । ଠିକ୍ ସେହିପରି ରାଜ୍ୟରେ ଜାତୀୟ ରାଜପଥ ମରାମତି ପାଇଁ ବାର୍ଷିକ ୩୦ କୋଟି ୪୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପରବର୍ତ୍ତି ସମୟରେ ଏହା ବଢି ୩୩କୋଟି ୪୦ ଲକ୍ଷ ହୋଇଥିଲା । ଯାହାକି ୨୦୧୯-୨୦ ମସିହାରେ ଖର୍ଚ୍ଚ ହୋଇଥିଲା । ଆହୁରି ଦୁଃଖର ବିଷୟ ଯେ, ଯଦି ୨୦୨୦-୨୧ ମସିହା କଥା ଚିନ୍ତା କରାଯାଏ ତେବେ ଜାତୀୟ ରାଜପଥର ମରାମତି ରକ୍ଷଣାବେକ୍ଷଣ ପାଇଁ ମାତ୍ର ୧୩ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ଜାତୀୟ ରାଜପଥ ମରାମତି ପାଇଁ ଏତେ କମ୍ ଟଙ୍କାର ଅନୁଦାନ କେନ୍ଦ୍ର ଦ୍ୱାରା ଦିଆଯାଉଥିବାରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କେନ୍ଦ୍ର ସରକାର ଓଡିଶାର ରୋଡ ରାସ୍ତାର ବିକାଶ ତ ଦୂରର କଥା ଜାତୀୟ ରାଜପଥର ମରାମତି ପାଇଁ ମଧ୍ୟ ଅନୁଦାନ ଦେବାରେ ଘୋର ଅବହେଳା କରୁଛି । ତେଣୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧିନ କେନ୍ଦ୍ର ସରକାର ବିକାଶର ନାରାବାଜିରେ ସୀମିତ ନ ରହି ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ତଥା ରାଜ୍ୟର ଜାତୀୟ ରାଜପଥ ମରାମତି ପାଇଁ ପର୍ଯ୍ୟାପ୍ତ ଅନୁଦାନ ପ୍ରଦାନ କରୁ ବୋଲି ବିଧାୟକ ନରସିଂହ ମିଶ୍ର କହିଛନ୍ତି ।