centurian jitm

ବଲାଙ୍ଗିରରେ ମହିଳାମାନଙ୍କ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ – ନାଗରିକ କମିଟି

nschool
  • ଯୁକ୍ତ ଦୁଇ ମହିଳା କଲେଜ ବନ୍ଦ ହୋଇଯିବ !

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଏକ ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । କିନ୍ତୁ ବର୍ତମାନ ଏହି କଲେଜରେ କଳା ଓ ବିଜ୍ଞାନରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ଶ୍ରେଣୀ ଗୃହ ଅଛି କିନ୍ତୁ ଶିକ୍ଷକ କିମ୍ବା କର୍ମଚାରୀ ପଦବୀ ଖାଲି ପଡିଛି । ଛାତ୍ରୀମାନେ ପାଠ ନ ପଢି କଲେଜର ପ୍ରାଙ୍ଗଣରେ ଏଣେ ତେଣେ ବୁଲିବାର ଦେଖାଯାଉଛି । ୨୦୧୫ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଖୋଳିବା ପାଇଁ ସରକାରଙ୍କ ଚିଠି ସଂଖ୍ୟା ୧୨୩୨୮/ଏଚ୍‌ଇ ତା.୦୯/୦୬/୨୦୧୫ରେ ଅନୁମତି ପ୍ରାପ୍ତ ହୋଇଥିଲା । ସରକାରଙ୍କ ଅନୁମତି ପତ୍ରରେ ପ୍ରଥମ ବର୍ଷଟି ଅତିଥି ଅଧ୍ୟାପକ ସାହାଯ୍ୟରେ ପାଠ ପଢିବା ପାଇଁ ଉଲ୍ଲେଖ କରାଯାଇଥିଲା । ସେଥିପାଇଁ ୨୦୧୫ରେ ଯୁକ୍ତ ଦୁଇ ବିଜ୍ଞାନରେ ଛାତ୍ରୀମାନଙ୍କୁ ପ୍ରବେଶ କରାଇ କୌଣସି ପ୍ରକାରରେ ପାଠ ମଧ୍ୟ ଆରମ୍ଭ କରାଯାଇଥିଲା । ପରିତାପର ବିଷୟ ଯେ ସରକାର ବେଟି ବଚାଓ, ବେଟି ପଢାଓ ନାରା ଦେଉଥିବା ସମୟରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଘଟିଛି । ବିଜ୍ଞାନ ମହାବିଦ୍ୟାଳୟ ଖେଳିବା ୭ ବର୍ଷ ଭିତରେ ମଧ୍ୟ ଗୋଟିଏ ମଧ୍ୟ ଅଧ୍ୟାପକ କିମ୍ବା ଅଧ୍ୟାପିକା ନିଯୁକ୍ତି ହୋଇନାହାନ୍ତି । ଲେବୋଟ୍ରିରେ ଏସିଷ୍ଟାଣ୍ଡ କିମ୍ବା ଅଣ ଶିକ୍ଷକ ପଦ ମଧ୍ୟ ସମ୍ପୂର୍ଣ୍ଣ ଖାଲି ପଡିଛି । ମୋଟା ମୋଟି ହିସାବରେ ଯୁକ୍ତ ଦୁଇ ବିଜ୍ଞାନରେ ୭ ବର୍ଷ ହେଲା ଗୋଟିଏ ମଧ୍ୟ ଶିକ୍ଷକ ବା ଅଣ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ସେହିପରି ଯୁକ୍ତ ଦୁଇ କଳାରେ ମୋଟ ୧୩ଟି ଅଧ୍ୟାପକ ପଦରୁ ୧୦ଜଣ ଅଛନ୍ତି କିନ୍ତୁ ସରକାରଙ୍କ ଚିଠି ନଂ.୮୪୧୪/୨୮/୦୨/୨୦୨୨ ଅନୁସାରେ ଶିକ୍ଷକମାନଙ୍କୁ ଯୁକ୍ତ ୩ରେ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଆସିଛି । ଅର୍ଥାତ ଯୁକ୍ତ ଦୁଇ କଳାରେ କିପରି ପାଠପଢା ହେବ ତାହା ଏ ପର୍ଯ୍ୟନ୍ତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯୁକ୍ତ ୩ରେ ୨୩ଟି ଅଧ୍ୟାପକରୁ ମାତ୍ର ୮ଜଣ ଅଛନ୍ତି, ୧୫ଟି ଅଧ୍ୟାପକ ପଦବୀ ଖାଲି ଅଛି । ଦୁଃଖର ବିଷୟ ମହିଳା କଲେଜରେ ଛାତ୍ରୀମାନେ ପ୍ରାୟ ଗୃହ ବିଜ୍ଞାନ ବିଷୟ ଅଧ୍ୟୟନ କରିଥାନ୍ତି କିନ୍ତୁ ଏ ବିଷୟରେ ଜଣେ ମଧ୍ୟ ଅଧ୍ୟାପିକା ନାହାନ୍ତି । ଅବଶ୍ୟ ବର୍ତମାନ ଯୁକ୍ତ ଦୁଇର ଶିକ୍ଷକମାନେ ଯୁକ୍ତ ୩ରେ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଅଛି । ଏପରି ଶୋଚନୀୟ ଅବସ୍ଥାରେ ଅଧ୍ୟକ୍ଷଙ୍କ ପାଖକୁ ଫାଇଟିଏ ମଧ୍ୟ ଆସିବାରେ ବାଧା ସୃଷ୍ଟି ହେଉଛି । କାରଣ ଅଣଶିକ୍ଷକ ପଦବୀ ୩୫ଟି ଥିବା ସମୟରେ ବର୍ତମାନ କେବଳ ଗୋଟିଏ କିରାଣୀ ସହ ତିନି ଜଣ ଚତୁର୍ଥ କର୍ମଚାରୀ ଅଛନ୍ତି । ଏଠାରେ ଲାଇବ୍ରେରୀର କଥା ନ କହିବା ଭଲ । ଅତିଶୀଘ୍ର କୌଣସି କର୍ମଚାରୀ ନିଯୁକ୍ତି ନ ହେଲେ ଲାଇବ୍ରେରୀ ହଲ୍‌ରେ ତାଲା ପଡିଯିବ । ଏଥି ପାଇଁ ନାଗରିକ କମିଟିର ଏକ ଉଚ୍ଚ ସ୍ତରୀୟ ସବ୍‌ କମିଟିରେ ଥିବା ଚାରି ଜଣ ପୂର୍ବତନ ମହାବିଦ୍ୟାଳୟର ଅଧ୍ୟକ୍ଷ ଯଥା ଡା. ଅଭିମନ୍ୟୁ ମିଶ୍ର, ଡା. ସତ୍ୟବନ୍ତ ବେଦବାକ, ପ୍ରଫେସର ଶୁଭେନ୍ଦ୍ର ତ୍ରିପାଠୀ, ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହ ଅବାହକ ବିମଳ କୁମାର ଚୋପଦାର ଓ ସହ-ସଂପାଦକ ଡା. ଚକ୍ରପାଣି ଦାଶ ପ୍ରତିନିଧି ଦଳର ନେତୃତ୍ୱରେ କଲେଜ ପରିଦର୍ଶନ କରି ଭାରପ୍ରାପ୍ତ ଅଧ୍ୟକ୍ଷ ମନୋରଂଜନ ମିଶ୍ର ଓ ଅନ୍ୟ କର୍ମଚାରୀମାନଙ୍କ ସହ ସାକ୍ଷାତ କରିଥିଲେ । ଏହି ମହିଳା କଲେଜର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଉପରେ ଉଦ୍‌ବେଗ ପ୍ରକାଶ କରି ନାଗରିକ କମିଟିର ସଭାପତି ବେଲାରସିଂ ଭୋଇ ଓ ସାଧାରଣ ସଂପାଦକ ମନୋରଂଜନ ସାହୁ ଏହି ସମସ୍ୟାର ସମାଧାନ ପାଇଁ ସଂପୃକ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ବିହିତ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.