ମୋ ସୁରକ୍ଷା ମୋ ଅଧିକାର’ କାର୍ଯ୍ୟକ୍ରମରେ ବୁଲା ଗାଈ/ନନ୍ଦୀଙ୍କ ବେକରେ ବାନ୍ଧିଲେ ରେଡିଅମ୍ ବେଲ୍ଟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : “ସମ୍ଭାବନା ସେବା ପରିଷଦ ତରଫରୁ, ପବିତ୍ର ନୂଆଖାଇ ପର୍ବ ଅବସରରେ, ଶାଶ୍ଵତ ଫାଉଣ୍ଡେସନ ଓ ସଭ୍ୟ ସମାଜର ମିଳିତ ଉଦ୍ୟମରେ ପିପିଲିର ଗୋ ସେବକ ଭାଇମାନଙ୍କ ସହଯୋଗରେ ପିପିଲି ବାଇପାସ୍ ଏବଂ ପିପିଲି ବ୍ଲକର ବିଭିନ୍ନ ଅଞ୍ଚଳରେ ମୂଖ୍ୟ ସଡ଼କ ପଥ ରେ ବୁଲୁଥିବା ବୁଲା ନନ୍ଦୀ ଏବଂ ଗୋମାତାଙ୍କ ବେକରେ ରେଡ଼ିଅମ୍ ବେଲଟ ବନ୍ଧା ଯାଇ ““MY SAFETY MY RIGHTS” ଏକ ଗୋସେବା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପର ମୂଖ୍ୟ ଉଦ୍ଦେଶ୍ୟ ସଡ଼କ ଦୁର୍ଘଟଣା କମେଇବା ସହିତ ସଡ଼କରେ ବିଶେଷ କରି ରାତ୍ରି ସମୟ ରେ ଗୋ-ବୃଷଭମାନଙ୍କୁ ସୁରକ୍ଷା ଦେବ, ଏହି ବେଲଟ୍ ବାନ୍ଧିବା ଦ୍ୱାରା ରାତିରେ ହେଉଥିବା ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ମତ ରଖିଥିଲେ ସମ୍ଭାବନା ସେବା ପରିଷଦ ସଂଗଠନର ଉପାଧ୍ୟକ୍ଷା ଶୁଭଲକ୍ଷ୍ମୀ ସେନାପତି । ଏହି ରେଡିଅମ୍ ବେଲ୍ଟରେ ଗାଡି ଲାଇଟ୍ ପଡ଼ିବା ଦ୍ଵାରା ଚାଳକକୁ ବୁଲୁଥିବା ଗୋବଂଶଙ୍କୁ ଦୂରରୁ ଦେଖି ସତର୍କ ହେବାକୁ ସୁବିଧା ହେବ । ସଡକ ଦୁର୍ଘଟଣା କମିଲେ ମଣିଷ ଓ ଗୋ ବଂଶଙ୍କ ହେଉଥିବା ଅପମୃତ୍ୟୁକୁ ରୋକାଯାଇ ପାରିବ ବୋଲି କହିଥିଲେ ଶାଶ୍ଵତ ଫାଉଣ୍ଡେସନର ଅଧ୍ୟକ୍ଷ ଦିପ୍ତିସୁନ୍ଦର ମହାପାତ୍ର । ଅପରାହ୍ନ ୩ ଟାରୁ ବାହାରି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହି ବେଲ୍ଟ ବାନ୍ଧିଥିଲେ ପିପିଲି ପ୍ରାଣୀ ଚିକିତ୍ସା କେନ୍ଦ୍ରସ୍ଥିତ ଗୋସେବା କେନ୍ଦ୍ରର ଗୋସେବକ ମାନେ । ଏହି କାର୍ଯ୍ୟକ୍ରମରେ ପିପିଲିର ସଂଗଠକ ବଂଶୀଧର ସାହୁ, ପ୍ରକାଶ କୁମାର ପ୍ରଧାନ, ଅଭିଜିତ, ହିମାଂଶୁ, ବାଦଲ, କାହ୍ନା, ଦିପୁନା, ସୁଜିତ୍ , ଟୁଟୁ ଲିଟନ, ଶୁଭ, କ୍ରିସ, ଚନ୍ଦନ, ଦୀପକ, ବୀଟୁ, ପ୍ରମୁଖ ଉପସ୍ଥିତ ରହିଥିଲେ । ଉପାଧ୍ୟକ୍ଷା ଶୁଭଲକ୍ଷ୍ମୀ ସେନାପତି କହିଥିଲେ କି ଏହି କାର୍ଯ୍ୟକ୍ରମ ଦ୍ୱାରା ଗୋ ବଂଶଙ୍କ ସୁରକ୍ଷା କେବଳ ସେମାନଙ୍କର ଅଧିକାରକୁ ସୁନିଶ୍ଚିତ କରେ ତାହା ନୁହେଁ, ଏହାଦ୍ୱାରା ମାନବ, ଧନ ଜୀବନକୁ ମଧ୍ୟ ସୁରକ୍ଷା କରିପାରିବ । ସେ ଲୋକମାନଙ୍କୁ ଗୋମାତାଙ୍କ ପ୍ରତି କୃପା, ସହାନୁଭୂତି ଓ ନମ୍ରତା ପ୍ରଦର୍ଶନ କରିବାକୁ ଆହ୍ୱାନ କରିଥିଲେ, କାରଣ ଗୋ ବଂଶ ଆମ ସମାଜର ପବିତ୍ର ଓ ମୂଲ୍ୟବାନ ସମ୍ପଦ । ଆଜିକାଲି ଗୋଚର ଜମିର ଜବରଦଖଲ, ସରକାରଙ୍କ ଗୋବଂଶଙ୍କ ସୁରକ୍ଷା ପାଇଁ ଉଦାସୀନତା ମନୋଭାବ ଯୋଗୁଁ ଗୋବଂଶ ଆଜି ରାଜ ରାସ୍ତାରେ ବୋଲି ମତ ରଖି , ଗୋଚର ପୁନଃରୁଦ୍ଧାର ପାଇଁ ସରକାରଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.