
ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଅନେକ ଅନିୟମିତତା ହେଉଥିବା ଅନେକ ଥର ଅଭିଯୋଗ ହେଉଛି । ମନରେଗା, ଭତ୍ତା ତଥା ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟରେ ଅନିୟମିତତା ପଦାକୁ ଆସିବା ପରେ ତଦନ୍ତ ସମ୍ମୁଖୀନ ହେଉଛନ୍ତି ବିଭାଗୀୟ ଅଧିକାରୀ । ତେବେ ଭତ୍ତା ପରେ ଏବେ ହରିଶ୍ଚନ୍ଦ୍ର ଯୋଜନା । ଗତ ୨୦୧୮ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଳକ ପ୍ରଶାସନକୁ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ତାଙ୍କର ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ୨ହଜାର ଟଙ୍କା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ସଇଁନ୍ତଲା ବ୍ଳକରେ ତାହା ବାଟବଣା ସାଜିଛି । ତେବେ କୁମ୍ଭାରୀ ଗ୍ରାମର ଥୁଆ ବଗର୍ତ୍ତିଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ମିଳିଥିବା ୨ ହଜାର ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ୨୦୧୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ମାତ୍ର ୧୬୫ ଜଣଙ୍କୁ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ୨ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେଇଥିବା ନେଇ ଜିପିଓ ଲକ୍ଷ୍ମଣ ପଧାନ ସୂଚନା ଦେଇଛନ୍ତି । ଏଥିରେ ପ୍ରଶ୍ନ ଉଠେ ଯେ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ରହିଥିବା ବେଳେ କାହିଁକି ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଅବହେଳା ଯୋଗୁଁ ମୃତକଙ୍କ ପରିବାର ଲୋକଙ୍କୁ ଟଙ୍କା ମିଳିନାହିଁ । ତେବେ ବ୍ଳକର ହଜାର ହଜାର ଲୋକଙ୍କ ପରିବାର ଲୋକଙ୍କୁ ଏବେ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ମିଳିନପାରିଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ମୃତ୍ୟୁ ପରେ ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ ଦାବୀ ହେଉଛି ।