ଉଦ୍‌ଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

  • ସରକାରଙ୍କ ପ୍ରତ୍ୟେକ ଯୋଜନାର ଲାଭ ନେବାକୁ ଚାଷୀମାନେ ଆଗେଇ ଆସିବାକୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରୟାଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଗୁରୁବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଆଲୋଚନା କରିଥିଲେ । ପ୍ରାଣୀ ସମ୍ପଦ ବିଭାଗ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ କୃତ୍ରିମ ପ୍ରଜଜନ ଯୋଜନା, ଜାତୀୟ ପ୍ରାଣୀଧନ ଯୋଜନା, ଗୋ ସମ୍ପଦ ପାଇଁ ବୀମା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଘାସଚାଷ ଓ ମାଇ ବାଛୁରୀ ପାଳନ ପାଇଁ ଗୋପାଳକଙ୍କୁ ସହାୟତା ସମ୍ପର୍କରେ ମୁଖ୍ୟ ଅତିଥ୍‌ ଚାଷୀଙ୍କୁ ବୁଝାଇବା ସହ ଏହାର ଲାଭ ନେବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ସୋନପୁର ଉପଜିଲାପାଳ ଡ. ସୌମ୍ୟାରୂପା ରଥ, ସୁବର୍ଣ୍ଣପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ବୌଦ୍ଧ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରାଓ ପାଲୋ, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପରମାନନ୍ଦ ସେଠୀ, ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଅଧୁକାରୀ ବିଜୟ କୁମାର ସାହୁ ଓ ସମ୍ବଲପୁର ସ୍ଥିତ ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ପାଳନ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବ ବୋଲି କହିଥିଲେ । ସୋନପୁର ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭୀମଭୋଇ କଳା ପରିଷଦର କଳାକାରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମତ୍ସ୍ୟ ଚାଷ ପାଇଁ ଡୁଙ୍ଗୁରିପାଲି ବ୍ଲକର ମା ମାହେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠି, ବାୟୋଫ୍ଲକ ପଦ୍ଧତିରେ ମାଛଚାଷ ପାଇଁ ବିନିକା ବ୍ଲକର ଗୁରୁବାରୀ ବାଗ, ଛେଳି ପାଳନ ପାଇଁ ବୀରମହାରାଜପୁର ବ୍ଲକ ବିଶାଲପାଲିର ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠି ଓ ବ୍ରଏଲର କୁକୁଡା ପାଳନ ପାଇଁ ତରଭା ବ୍ଲକ ବଡଭଇଁରେ ପଞ୍ଚାୟତର ରୀନା ମେହେରଙ୍କୁ ଅର୍ଥ ରାଶି ଓ ମୋମେଣ୍ଟୋ ଦେଇ ପୁରସ୍କୃତ କରାଯାଇଥିଲା । ମମତା ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡାକ୍ତର ମୃଣ୍ମୟ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ଅପରାହ୍ନରେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ.ବିଶ୍ୱରଞ୍ଜନ ପଟ୍ଟନାୟକ, ବଲାଙ୍ଗିର ମଣ୍ଡଳର ଉପ ମତ୍ସ୍ୟ ନିର୍ଦ୍ଦେଶକ ନୀଳାମ୍ବର କିଲାକା, ଅବସରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ଘଡେଇ ଓ ଡ. ସରୋଜ ସାହୁ ଯୋଗଦାନ କରି ଚାଷୀଙ୍କ ସହିତ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ଅସୁବିଧା ସମ୍ପର୍କରେ ମତ ବିନିମୟ କରିଥିଲେ । ପରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜିଲ୍ଲାର ୬ଟି ବ୍ଲକରୁ ଶତାଧିକ ଚାଷୀ ଏହି ମେଳାରେ ଯୋଗଦେଇ ବ୍ରଏଲର ଫାର୍ମ, ଛେଳି ପାଳନ, ଗୋପାଳନ, ଦୁଗ୍ଧ ପାଇଁ ଉନ୍ନ‌ତ କିସମର ଗାଈ, ବିଭିନ୍ନ କିସମର କୁକୁଡା ଚାଷ ସମ୍ପର୍କିତ ଜୀବନ୍ତ ପ୍ରଦର୍ଶନୀକୁ ଚାଷୀମାନେ ବୁଲି ଦେଖୁଥିଲେ । ସେହିପରି କୁକୁଡା ଚାଷ ଉପକରଣ, ଜଳ ବିଭାଜିକା ମିଶନ, ଉଦ୍ୟାନ କୃଷି, କୃଷି ବିଜ୍ଞାନ କେନ୍ଦ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର, କୃଷି ବିଭାଗ, ମିଲେଟ୍ସ ମିଶନର ଷ୍ଟଲ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ପସରା ଭଳି ଷ୍ଟଲ ଖୋଲା ଯାଇଥିଲା ଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡାକ୍ତର ସୁନାକର ସାମଲ, ଡାକ୍ତର ହିମାଂଶୁ ମହା ସୁନ୍ଦର ପାଣ୍ଡେ, ସୁବ୍ରତ କୁମାର ପୁରୋହିତ, କମଳ ପ୍ରଧାନ, ଶୁଭକାଂକ୍ଷି ବେହେରା, ଝସକେତନ ପଶାୟତ, ପ୍ରିୟବ୍ରତ ପ୍ରଧାନ, ଦେବେନ୍ଦ୍ର ସାହୁ, ରଞ୍ଜିତ ବେଉରିଆ ଓ ସଞ୍ଜିବ ବାରିକ୍ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.