ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅଞ୍ଚଳର ସମସ୍ତ ଗ୍ରାମାଞ୍ଚଳରେ ପାରମ୍ପରିକ ଲୋକକଳା ମାଧ୍ୟମରେ ସରକାରଙ୍କ ଜନହିତକର ଯୋଜନାଗୁଡିକର ପ୍ରଚାର ପ୍ରସାର କରାଯିବା ନେଇ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କରାଯାଇଛି । ବ୍ଲକସ୍ତରୀୟ ପାରମ୍ପରିକ ଲୋକକଳା ଦଳ ଚୟନ ଓ ପଞ୍ଜିକରଣ ପରେ ଛତ୍ରପୁର ବ୍ଲକ୍ର ୩୦ ଗୋଟି ଲୋକକଳା ଦଳର କଳାକାରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଦଳ ଗୋଷ୍ଠୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଛତ୍ରପୁରର ଆଇ.ଆର.ଇ. ଛକ ଘଡ଼ଘଡାପଲ୍ଲୀଠାରେ ଅବସ୍ଥାପିତ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ନୃତ୍ୟ କଳାକେନ୍ଦ୍ର ଗୋଷ୍ଠୀ ଖୁବ ପ୍ରଶଂସିତ ହୋଇଛନ୍ତି ।
ଛତ୍ରପୁର ବ୍ଳକ୍ରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିବାରେ ଦାସୁଡୁ ସତ୍ୟମ୍ ନୃତ୍ୟକଳାକେନ୍ଦ୍ର ଦଳ ଯଥେଷ୍ଟ ଦକ୍ଷତା ପ୍ରତିପାଦନ କରିବ ବୋଲି ଏହି ମହଲରେ କୁହାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ରହି ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ନିୟୋଜିତ ହେବାକୁ ଥିବା ପାରମ୍ପରିକ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ପ୍ରଚାର ପ୍ରସାର ହେବ । ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଜନ ସାଧାରଣ କିଭଳି ସୂଚନା ପାଇବେ ଏବଂ ଏହି ଯୋଜନାରୁ ଉପକୃତ ହେବେ ସେହି ଆଭିମୁଖ୍ୟ ନେଇ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଳାକାରଗଣ ପ୍ରଶିକ୍ଷଣ ପାଇଥିଲେ । ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ ସମସ୍ତ କଳାକାରମାନଙ୍କ ଠାରୁ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କିଭଳି ସୁଚାରୁ ରୂପେ ସମ୍ପାଦିତ ହେବ ସେଥିନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ପ୍ରଣମିତା ପଣ୍ଡା ଏବଂ କୃଷି ଅଧିଦର୍ଶକ ଦୂର୍ଗା ପ୍ରସାଦ ପ୍ରଧାନସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ କଳାକାରମାନଙ୍କୁ ଅବଗତ କରାଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟରେ କଳାକାରଗଣ କିଭଳି କାର୍ଯ୍ୟକ୍ରମ ପରିବେଷଣ କରିବେ, କେଉଁ ସବୁ ବିଷୟ ବସ୍ତୁ ଗୁଡିକ ଉପରେ ଅଧିକ ଯତ୍ନବାନ ହେବେ, କେଉଁଠି କାର୍ଯ୍ୟକ୍ରମ ପରିବେଷଣ କରିବେ ଏହି ସମ୍ପର୍କିତ ସମସ୍ତ ବିଷୟରେ କଳାକାରମାନଙ୍କୁ ଅବଗତ କରାଯାଇଥିଲା । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତି ଏବଂ ବ୍ଲକ୍ କଳା ସାଂସ୍କୃତିକ ସଂଘର ଉପସଭାପତି ପ୍ରଶାନ୍ତ ରାଉଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାଟିରେ ପଞ୍ଜିକୃତ ହୋଇଥିବା ୩୦ଗୋଟି ଦଳର ଦଳମୁଖ୍ୟ ଏବଂ ବରିଷ୍ଠ କଳାକାରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।