- ଶିକ୍ଷାକୁ ଦିକ୍ଷା ରୂପେ ଗ୍ରହଣ କରିବାକୁ ନିଷ୍ପତ୍ତି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ସ୍ଥିତ ମାଁ ବିନ୍ଧ୍ୟବାସିନୀ ଦେବୀ ମନ୍ଦିର ଠାରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ପକ୍ଷରୁ ତ୍ରୟୋଦଶ ମହାସଭା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଲାଟ ସଭାପତି ହୃଷୀକେଶ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାସଭାରେ ସମାଜର ଦ୍ଵିତୀୟ ଅଧିବେଶନରେ ପ୍ରଥମେ ବିନ୍ଧ୍ୟାଞ୍ଚଳ ସ୍ଥିତ ମାଁ ବିନ୍ଧ୍ୟବାସିନୀ ଦେବୀଙ୍କ ଠାରୁ ଅଣାଯାଇଥିବା ଆଜ୍ଞାମାଳା ସହ ଇଷ୍ଟଦେବୀ ମାଁ ବିନ୍ଧ୍ୟବାସିନୀ ଦେବୀ, ସ୍ଵାଧୀନ ସଗ୍ରାମୀ ମାଧୋସିଂ, ଦୈବୀ ସିଂ, ସ୍ୱର୍ଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ପ୍ରତିଛବିରେ ଦୀପ ପ୍ରଜ୍ଜ୍ୱଳନ ସ଼ହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ଭୋଜରାଜ ସିଂ ବରିହା, ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ, ସଂପାଦକ ଆଶାରାମ ବରିହା, ଜେହେରୁ ବରିହା, ପ୍ରମୋଦ ଝାଙ୍କର, ମନୋରଞ୍ଜନ ବରିହା, ବଲାଙ୍ଗିର ଜିଲ୍ଲା ଉପସଭାପତି ଅର୍ଜୁନ ବରିହା, ସଂପାଦକ ଗନ୍ଧର୍ବ ବରିହା, ରାମଚନ୍ଦ୍ର ବରିହା, ହିମାନ୍ଦ୍ରି ବରିହା, ସଂପଦ ବରିହା, ନରୋତ୍ତମ ବରିହା, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ସଂପାଦକ ଯୁଗଳ କିଶୋର ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, କରୁଣା ବରିହା, ବିପିନ ବରିହା, କିଶୋର ଚନ୍ଦ୍ର ବରିହା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ଓ ସମାଜ କଳାକାର, କବି, ଲେଖକ, ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଫୁଲଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ମହାସଭାର ଦ୍ଵିତୀୟ ଦିବସରେ ବିଂଝାଲ ସମାଜ ପକ୍ଷରୁ ଏକ ସ୍ମରଣିକା ଓ କରମ ସାନୀ କଥାନୀ କାବ୍ୟ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ବିନ୍ଧ୍ୟାଞ୍ଚଳ ମାଁ ବିନ୍ଧ୍ୟବାସିନୀ ଦୈବୀଙ୍କ ଶକ୍ତି ଅପାର କରୁଣା ରହିଥିବା ବିନ୍ଧ୍ୟାଞ୍ଚଳ ଗସ୍ତରୁ ଫେରିଥିବା ପ୍ରତିନିଧି ଦଳ ବଖାଣି ଥିଲେ । ସମାଜର ଏକତା ଅଖଣ୍ଡତା ବଜାୟ ସାଙ୍ଗକୁ ଶିକ୍ଷା ସ୍ୱାସ୍ଥ୍ୟ, ସମାଜର ସମ୍ବିଧାନ ବହିର ନିୟମାବଳୀ, ସର୍ବ ଭାରତୀୟ ସ୍ତରରେ ବିଂଝାଲ ସମାଜ ଏକତା ରହି କମିଟି ଗଠନ କରିବା, ନିଶାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଅତିଥି ମାନେ ମତପୋଷଣ କରିଥିଲେ । ଶେଷରେ ସର୍ବ ଭାରତୀୟ ସ୍ତରରେ ସମାଜର ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ବିଶେଷ କରି ନାରୀ ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଥିରେ ବରଗଡ, ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର, ସୋନପୁର, କଳାହାଣ୍ଡି ସମେତ ପଡୋଶୀ ରାଜ୍ୟ ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଭଳି ବିଭିନ୍ନ ରାଜ୍ୟରୁ କର୍ମକର୍ତ୍ତାମାନେ ଯୋଗଦେଇଥିବା ବେଳେ ୧୦ ହଜାରରୁ ଅଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ । ଶିକ୍ଷାବିତ ଶଙ୍କର ପ୍ରସାଦ ମାଝୀ ସଭା ପରିଚାଳନା କରିଥିବା ବେଳେ ପାଇକମାଲ ଓ ପଦ୍ମପୁରର ସମସ୍ତ କର୍ମକର୍ତ୍ତା, ସଦସ୍ୟ ମାନେ ସହଯୋଗ କରିଥିଲେ । ତୁଳସୀ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।