ଏସ୍‌ଏଚ୍‌ଜି ମହିଳାଙ୍କ ଠୁ ଲୁଟ୍‌ କରିଥିବା ଜଣେ ଲୁଟେରାକୁ କାବୁ କରିଛି ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ଏଚ୍‌ଜି ମହିଳାଙ୍କ ଠୁ ଲୁଟ୍‌ କରିଥିବା ଜଣେ ଲୁଟେରାକୁ କାବୁ କରିଛି ବଲାଙ୍ଗିର ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ । ସୂଚନା ଅନୁସାରେ ଗତ ୨୭ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଫଟକରା ଗାଁର କୁନ୍ତୀ ସାହୁ(୫୦) ଅନ୍ୟ ଏସ୍‌ଏଚ୍‌ଜି ମା’ମାନଙ୍କ ସହ ୨ ଲକ୍ଷ ଋଣ ଟଙ୍କା ବଲାଙ୍ଗିର ସହର ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କରୁ ଉଠାଇ ବସଷ୍ଟାଣ୍ଡକୁ ଯିବା ସମୟରେ ୨ ଜଣ ଲୁଟେରା ମୋଟର ସାଇକେଲ୍‌ରେ ଆସି ଟଙ୍କା ବେଗ୍‌ ଝାଂପି ନେଇଥିଲେ । ତେବେ ଲୁଟେରାମାନେ ଝାଂପି ନେଇଥିବା ସେହି ଟଙ୍କା ବ୍ୟାଗ୍‌ରେ ୨ ଲକ୍ଷ ଋଣ ଟଙ୍କା, ମନି ପର୍ସ, ଗୋଟିଏ ପାସ୍‌ବୁକ୍‌, ଗୋଟିଏ ରେଜିଷ୍ଟର୍‌, ତିନୋଟି ଷ୍ଟାମ୍ପ୍‌ ସିଲ୍‌ ରହିଥିଲା । ଲୁଟେରାମାନଙ୍କୁ ଧରିବାରେ ବିଫଳ ହେବା ପରେ ସଂପୃକ୍ତ ଏସ୍‌ଏଚ୍‌ଜି ମହିଳା ଗ୍ରୁପ୍‌ର ମା’ମାନେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବଲାଙ୍ଗିର ଟାଉନ୍‌ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍‌କୁ ଭିତ୍ତି କରି ୪ ଅଭିଯୁକ୍ତଙ୍କୁ ପୋଲିସ ଠାବ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲା ଆସକା ଥାନା ପାକଳାପଲ୍ଲୀର ଆଉଲା ରଂଜିତ ରାଓଙ୍କୁ ଗିରଫ୍‌ କରିବାରେ ସଫଳ ହୋଇଛି । ତିନ ଜଣ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି । ଗିରଫ୍‌ ଅଭିଯୁକ୍ତଙ୍କଠାରୁ ଗୋଟିଏ ହୋଣ୍ଡା ୟୁନିକମ୍‌ ମୋଟର୍‌ ସାଇକେଲ୍‌, ଗୋଟିଏ ରିଏଲ୍‌ମି ମୋବାଇଲ୍‌ ଫୋନ୍‌ ଏବଂ ନଗଦ ୫୦ ହଜାର ଟଙ୍କା ଜବତ୍‌ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.