ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ମିଗଜୋମ୍‌’ : ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର : ଆନ୍ଧ୍ର ଉପକୂଳ ପାଖରେ ବାତ୍ୟା ମିଗଜୋମ୍ । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ୱିଣ୍ଡି ଅନୁଯାୟୀ ସକାଳେ ନେଲୋର ଓ ମଛଲିପଟନମ୍ ମଧ୍ୟରେ ବାପାଟଲା ଉପକୂଳରେ ଭୀଷଣ ବାତ୍ୟା ଭାବରେ ସ୍ଥଳଭାଗ ଛୁଇଁଛି । ସେହିପରି ଭାରତୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ଏହା ପୂର୍ବାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ପରେ ପବନର ବେଗ ରହିଛି ୯୦ରୁ ୧୦୦କି.ମି । ବାତ୍ୟା ମିଗଜୋମ୍ ପ୍ରଭାବରେ ଆନ୍ଧ୍ର ଉପକୂଳର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟରୁ ଧରଣର ବର୍ଷା ହେଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ବାତ୍ୟା ମିଗଜୋମ୍ ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି। ଅତି ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାର ତଳି ଅଂଚଳରେ ଜଳମଗ୍ନ ସମସ୍ୟା ଓ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ରହିଛି । ଏ ବର୍ଷା ଅମଳ ଧାନ ପାଇଁ ବିପଦ । ଅମଳ ହେବାକୁ ଥିବା ଫସଲକୁ ନେଇ ଚାଷୀଙ୍କୁ ସତର୍କ କରାଯାଇଛି । ଯୋଗାଣ ବିଭାଗ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ଆଲର୍ଟ କରିଛି। ଚାଷୀମାନେ ଯେମିତି ହଇରାଣ ନ ହୁଅନ୍ତି ସେନେଇ ନିର୍ଦ୍ଦେଶ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି ।

Leave A Reply

Your email address will not be published.