ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ କଳାହାଣ୍ଡିର କବି

ଭବାନୀପାଟଣା, (ହେମ‌ନ୍ତ ସାହୁ) : କବି ଓ କବିତାକୁ ନେଇ ମାର୍ଚ୍ଚ ୨୧ ତାରିଖ ବିଶ୍ୱ କବିତା ଦିବସ ଅବସରରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଚାଇନାରୁ ସେନ-ଶିଉ-ଚେନ, କିଟି ସୁ, ତାଇୱାନରୁ ମିୟୁ ଇତୁ, ଭିଏତନାମରୁ ଡେଙ୍ଗ ଥେନ, ଆମେରିକାରୁ ମିହୋ ନୋନାକା, ଜାପାନରୁ ମାରି କାସିବାଗିଙ୍କ ସହ ଭାରତରୁ କଳାହାଣ୍ଡି ଜିଲ୍ଲାର କବି ଭବାନୀଶଙ୍କର ନିଆଲ ନିମନ୍ତ୍ରିତ କବି ଭାବେ ଯୋଗ ଦେବେ । କବି ଶ୍ରୀ ନିଆଲ ଓଡ଼ିଆ ଭାଷାରେ ଲେଖୁଥିଲେ ହେଁ କ୍ରମାଗତ ଭାବରେ ବିଶ୍ୱର ବିଭିନ୍ନ ଭାଷାରେ ତାଙ୍କର କବିତା ସବୁ ଅନୁଦିତ ହୋଇ ସମଗ୍ର ୟୁରୋପରେ ଚର୍ଚ୍ଚାର ପରିସରରେ ରହିଛି । ସାହିତ୍ୟ ପତ୍ରିକା ମହୁରି, ମାସିକ ସମ୍ବାଦପତ୍ର ବନ୍ଦେ କଳାହାଣ୍ଡିର ମୁଖ୍ୟ ସମ୍ପାଦକ ଭାବେ କାର୍ୟ୍ୟ କରିବା ସହ ତାଙ୍କର ଓଡ଼ିଆରେ ୩ଟି ଓ ହିନ୍ଦୀରେ ୨ଟି କବିତା ସଙ୍କଳନ ରହିଛି । ଏଥି ସହ ଇଂରାଜୀ, ଇଟାଲୀ, ସର୍ଭିକ୍ ଭାଷାରେ ୨ଟି ଲେଖାଏଁ କବିତା ସଂକଳନ ପ୍ରକାଶନ ଅପେକ୍ଷାରେ ଅଛି । ଏହି କବିତା ପର୍ବ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହେବା ସହ ଫେସବୁକରେ ସିଧା ପ୍ରସାରଣ ହେବ ବୋଲି ଆୟୋଜନ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ବିଶ୍ୱରେ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାମ କରୁଥିବା ସାହିତ୍ୟ ସଂସ୍ଥା ଇଟାଲୀୟ କଲଚର, ଏଫୟୁଆଇଏସ, ୟୁରୋପା କମ୍ୟୁନିକା ଓ ଗୋଇରନାଟା ମଣ୍ଡିଏଲେ ଡେଲାପୋଷିଆ ପକ୍ଷରୁ ଏହା ଆୟୋଜିତ ହେଉଛି । ଏହି କାର୍ୟ୍ୟକ୍ରମକୁ ସଂଚାଳନ କରିବେ ପ୍ରଖ୍ୟାତ କବି ଇମାନୁଏଲା ରିଜୋ, ଲୁକା ଏରିଆନୋ ଏବଂ ଏଲେସିଓ ଜେନିଚେଲି । କବି ଶ୍ରୀ ନିଆଲଙ୍କ ଏହି ସଫଳତାରେ ଦେଶର କୋଣ ଅନୁକୋଣରୁ ସାହିତ୍ୟିକ ଓ ପାଠକ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.