ଜଲପାଙ୍କେଲ୍ ଗ୍ରାମରେ ବସୁଧା ଯୋଜନା ଫେଲ୍

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନା କରିଛନ୍ତି । କିନ୍ତୁ ଯନ୍ତ୍ରୀ, ଠିକାଦାର ମାନଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଲୋକେ ‌ସ୍ୱଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ ଗ୍ରାମରେ । ଯେଉଁ ଦିନ ଠାରୁ ଜଳ ଯୋଗାଣ ଆରମ୍ଭ ହୋଇଛି ସେହି ଦିନଠାରୁ ଏପର୍ୟ୍ୟନ୍ତ କେବେ ବି ନିୟମିତ ଜଳଯୋଗାଣ ହୋଇପାରିନାହିଁ । ଗ୍ରାମବାସୀଙ୍କ କହିବା ଅନୁସାରେ ଅବ୍ୟବସ୍ଥା ଘେରରେ ଜଳଯୋଗାଣ ହେଉଛି । ପମ୍ପ ହାଉସ୍ ପରିସରରେ ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ହୋଇଥିବା ବେଳେ କେତେକ ଷ୍ଟାଣ୍ଡ ପୋଷ୍ଟରେ ପାଇପ ସଂଯୋଗ କରାଯାଇ ନାହିଁ ଏବଂ ଆଉ କେତୋଟି ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିଯାଇଛି । ଗ୍ରାମର କେତେକ ପଡାକୁ ଏପର୍ୟ୍ୟନ୍ତ ଜଳଯୋଗାଣ ପାଇଁ ପାଇପ୍ ସଂଯୋଗ କରାଯାଇ ନାହିଁ । ଏବେ ଗ୍ରୀଷ୍ମ ଦିନ ଆସିଗଲାଣି ଏହି ସମୟରେ ଲୋକଙ୍କୁ ପାଣି ମୁନ୍ଦିଏ ମିଳୁନାହିଁ । ପମ୍ପ ସଂଚାଳକଙ୍କୁ ପଚାରିବାରୁ ସେ କୁହନ୍ତି ଗତ ଏକ ମାସ ହୋଇଗଲାଣି ପାଣି ମୋଟର ପୋଡ଼ି ଯାଇଥିବାରୁ ଗ୍ରାମରେ ଜଳଯୋଗାଣ ହୋଇ ପାରୁନାହିଁ । ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଗ୍ରାମବାସୀ ଦାବୀ କରିଛନ୍ତି ଯେ ଅତି ଶୀଘ୍ର ନୁଆଁ ମୋଟର ବସାଇ ନିୟମିତ ଜଳଯୋଗାଣ କରାଯାଉ ।

Leave A Reply

Your email address will not be published.