
- ନୀଳାଦ୍ରି ମହାପାତ୍ର
ନିଜର ଲୋକଟିକୁ
ଛାଡି ଗଲାବେଳେ,
ନା ପାଦ ଉଠୁଥାଏ ମାଟିରୁ
ନା କଥା ବାହାରୁଥାଏ ପାଟିରୁ
ଛାତି ଭିତରେ ଜମାଟ ବାନ୍ଧିଥିବା
ଲୁହଗୁଡା
ନା ଗଡିପାରୁଥାଏ ଆଖିରୁ ।
ଗୋଟେ ଅଜଣା ଆକର୍ଷଣ
ଭିଡି ଧରୁଥାଏ
ହୃତପିଣ୍ଡର କମ୍ପନ
ଆଗରେ ଥିବା ଅଚିହ୍ନା ହାତ,
ଗଛ, ଲତା, ପଶୁ, ପକ୍ଷୀ
ଏମିତିକି ରାସ୍ତା ସବୁ
ବାଟ ଓଗାଳୁଥାନ୍ତି
ମୋ ଥରିଲା ପାଦକୁ
ଚିହ୍ନା ସ୍ୱରଟି
ଆଚ୍ଛନ୍ନ କରି ରଖିଥାଏ
ଏ ମଗ୍ନ ମୌନ ମନକୁ ।
ବଡ଼ ବିଷାଦମୟ
ବଡ଼ ବିଷାଦମୟ
ଏ ଛାଡିଯିବାର ବେଳ
ବିଷ ବିଷ ଲାଗୁଥାଏ ଜୀବନ
ନା ବୁଝେଇ ହୁଏ
ଏ ଅବୁଝା ମନକୁ
ନା ଓହ୍ଲେଇ ଦେଇ ହୁଏ
ଛାତିରୁ ସ୍ନେହଭର୍ତ୍ତି ବୋଝକୁ
ଲୁହର ଲହଡ଼ିରେ
ନିଃସର୍ତ୍ତ ଶାମୁକାଟେ ପରି
ଆଉଜି ଯିବାକୁ ପଡେ
ସମୟର ସୁଅ ଭସେଇନିଏ
ଯଉ ବିସ୍ମୟ ବେଳାଭୂଇଁକୁ ।
ଏବେତ ବାଲି ଗରଡ଼ାରେ
ଗଡୁଥାଏ ଜୀବନ
ନିଜ ଦେହର ଖୋଳପା ଖୋଲି
କାହାକୁ ଦେଖେଇ ହୁଏନି ମୁକ୍ତା
ପେଟରେ ସାଇତି ରଖି
ଛଟପଟ ହଉ ଥାଏ
ପଛରେ ଛାଡି ଆସିଥିବା
ସମୁଦ୍ରେ ସୁଖର ସିରସ୍ତା ।
ଏମିତିରେ
ଏମିତିରେ
ତତଲା ବାଲିରେ
ଭାଜି ହଉଥାଏ ସ୍ୱପ୍ନ
ମରି ମରି ବଞ୍ଚିବାକୁ ହୁଏ
ନିଜଲୋକଟିକୁ ଛାଡିଯିବାର
ସମ୍ମୋହନ ।
- ସଭାପତି, ସମ୍ବାଦ ସାହିତ୍ୟ ଘର, ଆଳି
ମୋ.ନଂ.- ୯୪୩୧୧୧୩୬୫୮