ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ଯୁଗିରତା ଗ୍ରାମର ଗଦାଧର ବାଗ (୪୫) ନାମକ ଜଣେ ବ୍ୟକ୍ତିଙ୍କ ଆଜି ପାଣିରେ ବୁଡି ଆକସ୍ମିକ ବିୟୋଗ ଘଟିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ,ଆଜି ସକାଳୁ ମୃତ ଗଦାଧର ଉଠି ସ୍ଵାଭାବିକ ଭାବରେ ନିଜର ନିତ୍ୟକର୍ମ କରି ପୂର୍ବାହ୍ନରେ ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପାଣିରେ ଗାଧୋଉଥିବା ବେଳେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରି ପାଣିରେ ହିଁ ପଡ଼ିଯାଇଥିଲେ । ସାଙ୍ଗରେ ଥିବା ଜଣେ ଯୁବକ ଓ ଅନ୍ୟମାନେ ତାଙ୍କୁ ପାଣିରୁ ବାହାରକୁ ଆଣି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ପରେ ପରିବାର ଲୋକେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୁରିବାହାଲ ଥାନା ପୁଲିସ ଏସଆଇ ପ୍ରମୋଦ କୁମାର ପଧାନ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଗାଁକୁ ମୃତଦେହ ଅଣାଯାଇ ଅତ୍ୟନ୍ତ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏ ନେଇ ଥାନାରେ ଏକ ଅପମୃତ୍ୟୁ କେସ ନଂ. ୨୧/୨୪ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି । ମୃତ ଗଦାଧରଙ୍କ ପରିବାରରେ ତାଙ୍କ ପତ୍ନୀ, ଜଣେ ଦିବ୍ୟାଙ୍ଗ ବଡ ପୁଅ, ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନ ପୁଅ, ଯୁକ୍ତ ଦୁଇରେ ପଢୁଥିବା ବଡ ଝିଅ ଓ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ସାନ ଝିଅ ଅଛନ୍ତି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ଅକାଳ ବିୟୋଗରେ ସମଗ୍ର ପରିବାର ଓ ଅଞ୍ଚଳରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଗଦାଧରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।