ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତିର ମୂଳପୋଛ ହେଲେ ଦେଶ ପ୍ରଗତିପଥରେ ଆଗେଇବ । ଦୁର୍ନୀତି ଆମ ସମାଜ, ପରିବାର ଓ ଦେଶକୁ ଗ୍ରାସ କରିଛି । ଦୁର୍ନୀତି କାର୍ଯ୍ୟରୁ ନିର୍ବୃତ୍ତ ହେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ କହିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଷ୍ଟ୍ରର ବିକାଶ ଦିଗରେ ସମସ୍ତ ବ୍ୟକ୍ତିବିଶେଷ ପ୍ରତିଟି କ୍ଷେତ୍ରରେ ସଚେତନତା ଓ ସଜାଗ ରହିଲେ ଦୁର୍ନୀତି ରୂପକ ରାକ୍ଷସକୁ ରୋକିହେବ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ଏଥି ନିମନ୍ତେ ଯୁବପିଢିଙ୍କ ଠାରୁ ଆରମ୍ଭ କରି ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଥାନ୍ତୁ ନା କାହିଁକି ପ୍ରତ୍ୟେକେ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି କୁହାଯାଇଛି । ଡେପୁଟୀ କଲେକ୍ଟର ଆୟୁଷୀ ପତି, ଡେପୁଟୀ କଲେକ୍ଟର ଦୀପ୍ତିମୟୀ ପାତ୍ର ନିଜ ନିଜ ବକ୍ତବ୍ୟରେ ପ୍ରତ୍ୟେକ ନାଗରିକ ତଥା ଯୁବପିଢୀଙ୍କର ଦୁର୍ନୀତି ରୋକିବାରେ ଉତ୍ତର ଦାୟୀତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.