ମାୟାବର୍ହା ହାଇସ୍କୁଲଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ । ସଭାରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବାବୁପାଲିର ପୂର୍ବତନ ହିନ୍ଦୀ ଶିକ୍ଷକ ପଙ୍କଜ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ହିନ୍ଦୀ କେବଳ ଆମ ଭାଷା ନୁହେଁ ଆମ ସଂସ୍କୃତି ବୋଲି ମତ ପ୍ରକାଶ କରିଥିଲେ । ବଦକର୍ଲେ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ହିନ୍ଦୀର ଇତିହାସ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ସମ୍ପଦ ଖମାରୀ ହିନ୍ଦୀ କେବଳ ରାଷ୍ଟ୍ରୀୟ ଭାଷା ନୁହେଁ ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦ୍ ସ୍ପନ୍ଦନ ବୋଲି ମତ ବ୍ୟକ୍ତ କରିଥିଲେ । ଶିକ୍ଷକ ମନୋଜ କୁମାର ପୂଜାରୀ, ରାଜୁ ମେହେର, ସ୍ନିଗ୍ଧା ପ୍ରଧାନ, ନିକିତା ଦୀପ, କିରଣ କୁମାର ପଟେଲ ସଭାରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୂଜାରାଣୀ ପ୍ରୀତି, ଆୟୁଶି, ମଞ୍ଜୁ, ଆକାଶ, ଶ୍ରୀତମ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରୀ ଶ୍ରୀମୟୀ ଓ ଜାଗୃତି ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।

Leave A Reply

Your email address will not be published.