ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମସ୍ୟା : ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପାଇଁ ବିରାଟ ଚ୍ୟାଲେଂଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମସ୍ୟା ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପାଇଁ ଏକ ବିରାଟ ଚ୍ୟାଲେଂଜ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ପ୍ରତି ବର୍ଷ ବଲାଙ୍ଗିର ଜିଲ୍ଲାରୁ ଲକ୍ଷାଧିକ ଶ୍ରମିକ ପେଟ ପୋଷିବା ପାଇଁ ପଡେ଼ାଶୀ ଜିଲ୍ଲାକୁ ଦାଦନ ଶ୍ରମିକ ଭାବେ ଦାଦନ ସର୍ଦ୍ଦାରମାନଙ୍କ ଦ୍ୱାରା ଚାଲାଣ ହେଉଥିବା କଥା ସମସ୍ତେ ଜାଣନ୍ତି । ତେବେ ଚଳିତ ବର୍ଷ ଏହା ଏକ ବିରାଟ ସମସ୍ୟା ହୋଇ ଠିଆ ହୋଇଛି । ଅନ୍ୟ ବର୍ଷ ମାନଙ୍କରେ ଦାଦନ ସର୍ଦ୍ଦାରମାନେ ପଞ୍ଜିକରଣ କରି ଶ୍ରମିକ ଚାଲାଣ କରିଥାନ୍ତି ଟ୍ରେନ୍‌ ଯୋଗେ । କାଁ ଭାଁ ବସ୍‌ କିମ୍ବା ଅନ୍ୟ ଚାରିଚକିଆ ଯାନବାହାନରେ ପଠାନ୍ତି । କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ବର୍ତ୍ତମାନ ସୁଦ୍ଧା ଟ୍ରେନ୍‌ ଚଳାଚଳରେ ନିୟମିତତା ଆସି ପାରି ନଥିବା ବେଳେ ବିନା ପଞ୍ଜିକରଣରେ ସର୍ଦ୍ଦାରମାନେ ବସ୍‌ କିମ୍ବା ଅନ୍ୟ ଚାରିଚକିଆ ଯାନବାହାନରେ ରୀତିମତ ଶ୍ରମିକ ଚାଲାଣ କରୁଥିବା ଖବର ଆସିବାରେ ଲାଗିଛି । ଏଠାରେ କଥା ଉଠୁଛି, ଅନ୍ୟ ବର୍ଷ ମାନଙ୍କରେ ପଞ୍ଜିକରଣରେ କିଛି ଶ୍ରମିକଙ୍କୁ ସର୍ଦ୍ଦାରମାନେ ପଠାଉଥିବା ବେଳେ ଅଧିକାଂଶ ଶ୍ରମିକଙ୍କୁ ଲୁଚାଛପାରେ ବି ପଠାଇଥାନ୍ତି, ଯେଉଁଥି ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନଙ୍କ ସଂପର୍କରେ ସଂପୂର୍ଣ୍ଣ ରିପୋର୍ଟ ପ୍ରଶାସନ ପାଇଁ ଅପହଂଚ ହୋଇ ପଡ଼ିଥାଏ । କିନ୍ତୁ ଚଳିତ ବର୍ଷର ସ୍ଥିତି ଅଲଗା ହୋଇଛି । ଏହି ସ୍ଥିତିର ଫାଇଦା ନେଇ ସର୍ଦ୍ଦାରମାନେ ବେଆଇନ ଦାଦନ ଶ୍ରମିକ ଚାଲାଣ ଆରମ୍ଭ କରି ଦେଇଥିବା ଜଣାପଡ଼ିଛି । ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ କିଭଳି ଏହି ସମସ୍ୟାକୁ ରୋକି ପାରିବ, ତାହା ଏବେ ବିରାଟ ଚ୍ୟାଲେଂଜ ହୋଇ ଠିଆ ହୋଇଛି । ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ ବୁଦ୍ଧିଜୀବୀଙ୍କ ନଜର୍‌ ରହିଛି ଏବେ ।

jittmm
Leave A Reply

Your email address will not be published.