pakka

ମହୁଲି ମଦ : ସରକାର ଓ ବେପାରୀ ମାଲେମାଲ ମହୁଲ ଗୋଟାଳି କାଙ୍ଗାଳ, ଉଚ୍ଚସ୍ତରୀୟ ତଦନ୍ତ ଦାବୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହୁଲି ମଦଭାଟିର ବଲାଙ୍ଗିର ମ୍ୟାନେଜରଙ୍କ ଘରୁ ଆୟକର ବିଭାଗ ପକ୍ଷରୁ କିଛିଦିନ ତଳେ ଚଢାଉ କରାଯାଇ ୩୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ସମଗ୍ର ଦେଶରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆଲୋଚନା ହୋଇଥିଲା । ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସାଧାରଣ ଜନତାଙ୍କଠାରୁ ଲୁଟ କରାଯାଇଥିବା ଗୋଟି ଗୋଟି କରି ଟଙ୍କା ଫେରାଇବାକୁ ହେବ ବୋଲି ଟ୍ୱିଟ କରିଥିଲେ । କିନ୍ତୁ ମହୁଲିମଦରୁ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କାର ବାର୍ଷିକ ରାଜସ୍ୱ ପାଉଥିବା କଥା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟରୁ ଜଣା ପଡିଛି ଏବଂ ଏହି ରାଜସ୍ୱ ଆଦାୟରେ ବ୍ୟାପକ ଅସଙ୍ଗତି ଓ ଅନିୟମିତତା ରହିଥିବା ପଣ୍ଡା ଅଭିଯୋଗ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ମହୁଲଫୁଲ ସଂଗ୍ରହ ପାଇଁ ସରକାରଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ମଦଭାଟିମାନଙ୍କ ପକ୍ଷରୁ ସଂଗୃହୀତ ମହୁଲଫୁଲର ପରିମାଣ ଓ ମହୁଲିମଦରୁ ସରକାର ଆଦାୟ କରୁଥିବା ଅବକାରୀ ରାଜସ୍ୱ ଆୟର ପରିମାଣରେ ଜିଲ୍ଲା ଜିଲ୍ଲା ମଧ୍ୟରେ ତାଳମେଳ ଆଦୌ ନାହିଁ ବୋଲି ପଣ୍ଡା କହିଛନ୍ତି । ପଣ୍ଡା ଜଣାଇଛନ୍ତି ଯେ, ନିର୍ଦ୍ଦିଷ୍ଟ ପରିମାଣ ଓଜନର ମହୁଲରୁ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ପରିମାଣର ମହୁଲିମଦ ପ୍ରସ୍ତୁତ ହୋଇଥାଏ ଏବଂ ମହୁଲି ମଦରୁ ସରକାର ଏକ ନିଦ୍ଦିଷ୍ଟ ଅଙ୍କର ଅର୍ଥ ରାଜସ୍ୱ ଭାବେ ସଂଗ୍ରହ କରିଥାନ୍ତି ହେଲେ କେତେକ ଜିଲ୍ଲାରେ କମ ପରିମାଣର ସଂଗୃହୀତ ମହୁଲରୁ ଅଧିକ ପରିମାଣରେ ରାଜସ୍ୱ ସଂଗ୍ରହ ହୋଇଥିବାବେଳେ କେତେକ ଜଲ୍ଲାରେ ଅଧିକ ପରିମାଣର ସଂଗୃହୀତ ମହୁଲରୁ କମ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ତଥ୍ୟରେ ଦର୍ଶାଯାଇଛି । ସରକାରୀ ରାଜସ୍ୱ ଫାଙ୍କି ଦେବାକୁ ଭାଟି ମାଲିକ ଓ ଜିଲ୍ଲା ସ୍ତରର ସରକାରୀ ବ୍ୟବସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ସନ୍ଦେହ ଦୃଢୀଭୂତ ହୋଇଛି ବୋଲି ସୂଚନା କର୍ମି ପଣ୍ଡା ଗୁରୁତର ଅଭିଯୋଗ କରିବା ସଙ୍ଗେ ଜବତ ହୋଇଥିବା ବିପୁଳ ଟଙ୍କା ଏହାର ଏକ ପରିଣାମ ବୋଲି କହିଛନ୍ତି । ଏଠରେ ଉଲ୍ଲେଖେଯାଗ୍ୟ ଯେ, ସମଗ୍ର ପଶ୍ଚିମ ଓଡିଶା, ଅବିଭକ୍ତ କୋରାପୁଟ ଓ ମୟୁରଭଞ୍ଜ ଜିଲ୍ଲାରେ ବିଶେଷକରି ମହୁଲ ସଂଗ୍ରହ କରାଯାଇ ପ୍ରାୟତଃ ମହୁଲିମଦ ପ୍ରସ୍ତୁତ କରାଯାଇଥାଏ । ଏହି ଅଞ୍ଚଳର ମହିଳାମନେ ବିଶେଷ କରି ମହୁଲ ସଂଗ୍ରହ କରିଥାନ୍ତି । ବରଗଡ ଜିଲ୍ଲାରେ ୨୨-୨୩ ଆର୍ଥିକ ବର୍ଷରେ ୨୮୪୪୩୯.୮୨ କ୍ୱିଣ୍ଟାଲ ମହୁଲଫୁଲ ଅଧିକୃତ ସଂସ୍ଥାମାନଙ୍କ ପକ୍ଷରୁ କିଣାଯାଇଥିବା ବେଳେ ରାଜ୍ୟ ସରକାର ମହୁଲିମଦରୁ ୧୦୯ କୋଟି ୫୯ ଲକ୍ଷ ୪୩ ହଜାର ୭୫୮ ଟଙ୍କା ଅବକାରୀ ରାଜସ୍ୱ ସଂଗ୍ରହ କରିଛନ୍ତି ବୋଲି ବରଗଡ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ପଣ୍ଡାଙ୍କୁ ସୂଚନା ପ୍ରଦାନ କରାଯାଇଛି । ଅର୍ଥାତ ମହୁଲଫୁଲ କ୍ୱିଣ୍ଟାଲ ପିଛାରୁ ପ୍ରାୟ ୩୮୫୦ ଟଙ୍କା ଅବକାରୀ ରାଜସ୍ୱ ଆଦାୟ ହୋଇଛି । ବରଗଡ ଜିଲ୍ଲାର ଲକ୍ଷାଧିକ ମହୁଲ ଗୋଟାଳିଙ୍କୁ ଏହି ଆଧାରରେ ମିଳୁଥିବା ପ୍ରାପ୍ୟ ଅତ୍ୟନ୍ତ ନଗଣ୍ୟ ବୋଲି ପଣ୍ଡା ଜଣାଇଛନ୍ତି । ବୌଦ୍ଧ ଜିଲ୍ଲାରେ ୨୨-୨୩ ଆର୍ଥିକ ବର୍ଷରେ ୮୬୦୦୦ କ୍ୱିଣ୍ଟାଲ ମହୁଲଫୁଲ ମଦଭାଟିର ସ୍ୱୀକୃତିପ୍ରାପ୍ତ କ୍ରେତାମାନେ କିଣିଥିବା ବେଳେ ରାଜସ୍ୱ ଆଦାୟ ହୋଇଛି ୨୨ କୋଟି ୫୧ ଲକ୍ଷ ୯୧ ହଜାର ୪୨୪ ଟଙ୍କା । ଅର୍ଥାତ୍‌ ମହୁଲଫୁଲ କ୍ୱିଣ୍ଟାଲ ପିଛାରୁ ରାଜସ୍ୱ ଆଦାୟ ହୋଇଛି ମାତ୍ର ପ୍ରାୟ ୨୬୨୦ ଟଙ୍କା । ଅନୁଗୁଳ ଜିଲ୍ଲାରେ ୨୨-୨୩ ବର୍ଷରେ ୬୬୯୧୪.୪୪ କ୍ୱିଣ୍ଟାଲ ମହୁଲ କିଣା ଯାଇଥିବା ବେଳେ ରାଜସ୍ୱ ଆଦାୟ ହୋଇଛି ୩୭ କୋଟି ୩୩ ଲକ୍ଷ ୫୨ ହଜାର ୮୦୫ ଟଙ୍କା । ଅର୍ଥାତ୍‌ ମହୁଲ କ୍ୱିଣ୍ଟାଲ ପିଛାରୁ ରାଜସ୍ୱ ଅଦାୟ ହୋଇଛି ପ୍ରାୟ ୫୫୮୦ ଟଙ୍କା । ରାୟଗଡା ଜିଲ୍ଲାରେ ୨୨-୨୩ ବର୍ଷରେ ୪୭୬୭୩ କ୍ୱିଣ୍ଟାଲ ମହୁଲଫୁଲ କିଣା ଯାଇଥିବା ବେଳେ ରାଜସ୍ୱ ଆଦାୟ ହୋଇଛି ୧୮ କୋଟି ୪୬ ଲକ୍ଷ ୧୪ ହଜାର ୮୦୫ ଟଙ୍କା । କ୍ୱିଣ୍ଟାଲ ପିଛା ମହୁଲଫୁଲରୁ ମହୁଲିମଦ ପ୍ରସ୍ତୁତି ପରିମାଣରେ ବିଶେଷ ତାରତମ୍ୟ ନଥିବା ବେଳେ ରାଜସ୍ୱ ଆଦାୟରେ ଆକାଶ ପାତାଳ ତାରତମ୍ୟ କାହିଁକି ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି । ପୁନଶ୍ଚ ଅନେକ ଜିଲ୍ଲାରେ ମଦଭାଟି ଲାଇସେନ୍ସ ପାଇଁ ପ୍ରତି ବର୍ଷ ନିଲାମ କରାନଯାଇ ଭାଟି ମାଲିକଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି କେବଳ ବର୍ଷବର୍ଷ ଧରି ନବୀକରଣ କରାଯାଉଛି । ମହୁଲ ଗୋଟାଳିଙ୍କୁ ଶୋଷଣ କରାଯାଇ ତଥା ଉଚିତ ପ୍ରାପ୍ୟ ନଦେଇ ମହୁଲିମଦରୁ ସରକାର ଓ ମହୁଲିମଦ ବେପାରୀ ଶହ ଶହ କୋଟି ଟଙ୍କା ଲାଭ କରୁଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ମହୁଲ ଗୋଟାଳି ବିଶେଷ କରି ମହିଳାମାନଙ୍କୁ ତୁରନ୍ତ ସରକାର ସଂଗ୍ରହ କରୁଥିବା ଅବକାରୀ ରାଜସ୍ୱରୁ ବୋନସ ରାଶି ଭାବେ ପ୍ରଦାନ କରିବାକୁ ସୂଚନା କର୍ମି ପଣ୍ଡା ଦାବୀ କରିବା ସଙ୍ଗେ ଆର୍ଥିକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । ସରକାରଙ୍କ ଭୁଲ ନୀତି ଓ ମନ୍ଦ ଉଦ୍ଦେଶ୍ୟ ଯୋଗୁଁ ଓଡିଶାର ଦାରିଦ୍ର୍ୟ ଅଧ୍ୟୁଷିତ ଅଞ୍ଚଳର ଲୋକେ ମହୁଲ ଭଳି ପ୍ରାକୃତିକ ସମ୍ପଦରୁ ଲାଭବାନ ହେବା ପରିବର୍ତ୍ତେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ସୂଚନା କର୍ମି ପଣ୍ଡା କହିଛନ୍ତି ।

jay balangir
Leave A Reply

Your email address will not be published.

eight + 1 =