jayashree

ସାଇପାଲି ଧାନ ମଣ୍ଡିରେ ଟୋକନ ଲେପ୍ସ ହୋଇଥିବା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୧ରେ ସାଇକେଲ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଜେପୁର ସାଇପାଲି ସମବାୟ ସମିତି ବ୍ୟାଙ୍କ୍ ଆଗରେ ଟୋକନ ଲେପ୍ସ ହୋଇଥିବା ଚାଷୀମାନେ ଆସନ୍ତା ତା. ୨୧ରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନେତୃତ୍ୱରେ ସାଇକେଲ ଶୋଭାଯାତ୍ରା କରିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ସାଇପାଲି ବ୍ୟାଙ୍କ ସମ୍ମୁଖରେ ତାଲା ବନ୍ଦ କରି ଗତ ତା. ୧୨/ ୦୬ରୁ ୧୪/୦୬ ଦୁଇ ଦିନ ଧରି ଧାରଣା ଦିଆଯାଇଥିଲା । ବରଗଡ଼ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପଦ୍ମପୁର ଏପିସିଏସ୍ ଧାରଣା ସ୍ଥଳରେ ପହଞ୍ଚି ଟୋକନ ଲେପ୍ସ ହୋଇଥିବା ଚାଷୀଙ୍କ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ସୋସାଇଟି ସଂପାଦକ ଧାନ ମଣ୍ଡିରୁ ଧାନ ଘରକୁ ନିଅ ବୋଲି କହିଛନ୍ତି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ତା. ୨୧ରେ ସାଇପାଲି ତଥା ବିଜେପୁର ବ୍ଳକର ଟୋକନ ଲେପ୍ସ ହୋଇଥିବା ସମସ୍ତ ଚାଷୀମାନେ ଏକ ପ୍ରତିବାଦରେ ସାଇପାଲିରୁ ବରଗଡ଼ ସାଇକେଲ ଶୋଭାଯାତ୍ରାରେ ବାହାରି ସିଏସ୍‌ଓ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ଏନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସାଇକେଲ ଶୋଭାଯାତ୍ରାର ଏକ ଲିଖିତ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରଗଡ଼ ଜିଲ୍ଲାପାଳ, ଆଇଆଇସି ବରଗଡ଼ଙ୍କ ବିହିତ ପଦକ୍ଷେପ ନେବାପାଇଁ ଅବଗତ କରାଯାଇଥିବା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ବରଗଡ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ବରଗଡ ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ କିଶୋର ଭୋଇ ପ୍ରମୁଖ ଉପସ୍ଥିତ ରହି ଏକ ଦାବୀପତ୍ର ଦେଇଛନ୍ତି ।

Leave A Reply

Your email address will not be published.