ଭଦ୍ରା ପଞ୍ଚାୟତରେ ପିଡ଼ିଏସ୍‌ ଚାଉଳ ହଡପ ଘଟଣା : ତଦନ୍ତ ବେଳେ ଯୋଗାଣ ଅଧିକାରୀଙ୍କୁ ଘେରିଲେ ହିତାଧିକାରୀ, ୪ ମାସର ଚାଉଳ ନ ଦେଇ ଖାତାରେ ଏଣ୍ଟ୍ରି

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତରେ ୫ ଖଣ୍ଡ ଗାଁର ପିଡ଼ିଏସ୍‌ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରକାଶ ପରେ ସୋମବାର ବ୍ଲକ ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀ ଚିତାମରା ଗ୍ରାମକୁ ଯାଇଥିବା ବେଳେ କୋଣସି ହିତାଧିକାରୀ ଅନୁପସ୍ଥିତ ଥିବାରୁ ଫେରି ଆସି ପଞ୍ଚାୟତର ୮ ଓ ୯ ନମ୍ବର ୱାର୍ଡ ଯୁବାମାଳ, ଚାହାରଭଟ୍ଟାକୁ ତଦନ୍ତ ପାଇଁ ଯାଇଥିଲେ । ସେଠାରେ ହିତାଧିକାରୀମାନଙ୍କ ସମସ୍ତ କାର୍ଡ ଯାଞ୍ଚ କରିବା ପରେ ୪ ମାସ ଚାଉଳ ନ ଦେଇ ଖାତାରେ ଯୋଗାଣ ସହାୟକ ଏଣ୍ଟ୍ରି କରିଥିବା ଧରାପଡିଥିଲା । ଏହାପରେ ହିତାଧିକାରୀମାନେ ଚାଉଳ କେବେ ଦିଆଯିବ ବୋଲି ହୋ ହାଲ୍ଲା କରିଥିବା ସହ ଯୋଗାଣ ଅଧିକାରୀଙ୍କୁ ଘେରାଓ କରିଥିବା ଦେଖିବାକୁ ମିଳିଥିଲା । ପରେ ଯୋଗାଣ ଅଧିକାରୀ ଲିଖିତ ଆକାରରେ ସମସ୍ତ ହିତାଧିକାରୀମାନଙ୍କ ଦସ୍ତଖତ କରି ଉଚ୍ଚ କତୃପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହି ତଦନ୍ତ ସମୟରେ ଯୋଗାଣ ସହାୟକ ସତ୍ୟ ଛତ୍ରିଆ, ୱାର୍ଡ ମେମ୍ବର ସୁବାଷ ରଣା, କିଶୋର ନନ୍ଦ, ବଳଦେବ କୁମ୍ଭାର, ଭକ୍ତବନ୍ଧୁ ସାହୁ, କିଶୋର ସାହୁ, ଜୟଦେବ ସାହୁ, ପିତାମ୍ବର ରଣା, ଜିତେନ୍ଦ୍ର ବଗର୍ତିଙ୍କ ସମେତ ହିତାଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଏ ଘଟଣା ସମ୍ପର୍କ ଖବର ପ୍ରକାଶ ପାଇବା ପରେ ଗତ ୮ ତାରିଖ ଦିନ ତରବରିଆ ଭାବେ ଯୋଗାଣ ସହାୟକ ଏହି ପଞ୍ଚାୟତର ଚିତାମରା ଗ୍ରାମର ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନ କରାଯାଇଥିବା ବେଳେ ୩ ମାସର ଚାଉଳ ଦେବା ବଦଳରେ ୨ ମାସର ଚାଉଳ ଦେଇ ୩ ମାସର ଦିଆଯାଇଥିବା ଦର୍ଶାଇ କାର୍ଡରେ ଏଣ୍ଟ୍ରି କରାଯାଇଛି । ଏନେଇ ହିତାଧିକାରୀମାନେ କାହିଁକି ୨ ମାସର ଦେଇ ୩ ମାସର ଏଣ୍ଟ୍ରି କରାଯାଉଛି ବୋଲି ପ୍ରତିବାଦ କରିଥିଲେ ହେଁ କାହାରି କଥା ଶୁଣି ନ ଥିଲେ । ଏହା ସହିତ ଯୋଗାଣ ସହାୟକ ଜଣକ ମନମୁଖୀ କାର୍ଡରେ ଜୈନିକ ମହିଳା ହିତାଧିକାରୀ କଏତା ମହାନନ୍ଦ ୨୦୨୪ ପର୍ଯ୍ୟନ୍ତ ସମସ୍ତ ଚାଉଳ ପାଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି । ଏପରିକି ଚୁମକି ମହାନନ୍ଦ ନାମକ ହିତାଧିକାରୀ ଚାଉଳ ଦେବାରେ ଓଲଟା ପାଲଟା ତାରିଖ ଲେଖି ଚାଉଳ ବଣ୍ଟନ କରିଛନ୍ତି । ଯାହା ଫଳରେ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବାକି ୪ ଖଣ୍ଡ ଗାଁକୁ କେବେ ମିଳିବ ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.