ଦୋଷୀଙ୍କୁ ଗିରଫ ଓ ନିର୍ଦୋଷୀଙ୍କୁ ଖଲାସ ଦାବୀରେ ବିଷ୍ଣୁମୁଣ୍ଡାରେ ରାସ୍ତାରୋକ

ମୃତକ ଜିତେନ୍ଦ୍ର ସୁନାଙ୍କ କୋଭିଡ଼ ସଂକ୍ରମଣ ପ୍ରହେଳିକା ପାଲଟିଛି ବଲାଙ୍ଗିରବାସୀଙ୍କ ପାଇଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଭୀମ ଭୋଇ ମେଡ଼ିକାଲରେ ମୃତ୍ୟୁବରଣ କରିଥିବା ଜିତେନ୍ଦ୍ର ସୁନାଙ୍କ ହତ୍ୟାକାରୀଙ୍କୁ ଗିରଫ ତଥା ଗିରଫ୍ ହୋଇଥିବା ତାଙ୍କ ୫ ଜଣ ବନ୍ଧୁ ପରିଜନଙ୍କୁ ଥାନାରୁ ଛଡ଼ା ଯିବା ଦାବୀରେ ଆଜି ବିଷ୍ଣୁମୁଣ୍ଡାଠାରେ ବଲାଙ୍ଗିର-ଅର୍ଜୁନପୁର ରାସ୍ତାକୁ ଅବରୋଧ କରି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲରେ ଥିବା ଆଇସୋଲେସନ ୱାଡ଼ରେ ବିଷ୍ଣୁମୁଣ୍ଡାର ଜିତେନ୍ଦ୍ର ସୁନା (୩୨) ନାମକ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ଅବନତି ହେବା ବେଳେ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରି ନଥିବା ତାଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ । ଦିନ ଅଢେ଼ଇଟାରେ ଚିକିତ୍ସା ନ ପାଇ ଛଟ୍ପଟ୍ ହୋଇ ସେ ପ୍ରାଣତ୍ୟାଗ କରିଥିଲେ । ଏହି ସମୟରେ ତାଙ୍କ ପରିବାରବର୍ଗ ଓ ବନ୍ଧୁ ପରିଜନ କାର୍ଯ୍ୟରତ ଡାକ୍ତର ଓ ନର୍ସମାନଙ୍କ ଅବହେଳା ଯୋଗୁଁ ଜିତେନ୍ଦ୍ର ସୁନାଙ୍କ ମୃତ୍ୟୁ ହୋଇଥିବା କହି ହସପିଟାଲରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପରେ ଜିଲ୍ଲା ପୁଲିସ ପ୍ରଶାସନ ଘଟଣା ସ୍ଥଳକୁ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇ ସୁଝାଇ ସ୍ଥିତିକୁ ନିୟନ୍ତଣ କରିଥିଲା । ଅନ୍ୟପଟେ ସଂପୃକ୍ତ ଡାକ୍ତର ଡାକୁଆଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ କରି ଡାକ୍ତରମାନେ ଆକ୍ରମଣକାରୀଙ୍କୁ ଗିରଫ୍ ପାଇଁ ଧାରଣାରେ ବସିଥିଲେ । ଗତକାଲି ବିଳମ୍ବିତ ରାତିରେ ଜିତେନ୍ଦ୍ର ସୁନାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ତାଙ୍କ ପରିବାରବର୍ଗ କହିଛନ୍ତି । ଠିକ୍ ପରେ ପରେ ପୁଲିସ ଜିତେନ୍ଦ୍ର ସୁନାଙ୍କ ଘର ଉପରେ ଅତର୍କିତ ଚଢ଼ାଉ କରିଥିଲା । ସେ ଚଢ଼ାଉରେ ବିଷ୍ଣୁଧର ସୁନା(୫୪), ବିଶ୍ୱନାଥ ସୁନା (୫୦), ରୀତେନ୍ଦ୍ର ସୁନା (୩୦), ଶ୍ରୀକାନ୍ତ ସୁନା (୨୦) ଓ ଚଂଚଳ ଶିକା (୬୦)ଙ୍କୁ ଗିରଫ୍ କରି ଥାନାକୁ ନିଆଯାଇଥିବା କୁହାଯାଇଛି । ତେବେ ଗତକାଲି ଡାକ୍ତରଖାନା ତରଫରୁ ଜିତେନ୍ଦ୍ର ସୁନାଙ୍କୁ କୋଭିଡ଼ ଟେଷ୍ଟ ହେବା ପରେ ଆଇସୋଲେସନ ୱାଡର଼୍ରେ ଭର୍ତ୍ତି କରାଯାଇଥିଲା । ଦିନ ଅଢେ଼ଇଟାରେ ସେହି ରୋଗରେ ତାଙ୍କର ମୃତୁ୍ୟ ହୋଇଥିବା କୁହାଯାଇଥିଲା । କିନ୍ତୁ ନିୟମ ବିରୁଦ୍ଧରେ ହଠାତ୍ ତାଙ୍କ ମୃତ ଶରୀରକୁ ରାତି ଅଧେ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବିଷୟ ଆଶ୍ଚର୍ଯ୍ୟଜନକ । ସେହିପରି ଦଳିତ, ଦୁଃଖୀତ ପରିବାରର ଅଭିଯୋଗକୁ ଅଣଦେଖା କରି ଡାକ୍ତର ଓ ନର୍ସଙ୍କୁ ଗିରଫ୍ କରିବା ପରିବର୍ତ୍ତେ ଶୋକସନ୍ତପ୍ତ ପରିବାରର ୫ ଜଣ ସଦସ୍ୟଙ୍କୁ ରାତି ଅଧରେ ଗିରଫ କରିବା ପ୍ରଶାସନର ଦଳିତମାରଣ ନୀତିକୁ ସର୍ବ ସମ୍ମୁଖରେ ରଖିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । । ସର୍ବୋପରି ଜିତେନ୍ଦ୍ର ସୁନାଙ୍କ କୋଭିଡ଼ ସଂକ୍ରମଣ ଏବେ ଏକ ପ୍ରହେଳିକା ପାଲଟିଛି ବଲାଙ୍ଗିରବାସୀଙ୍କ ପାଇଁ ।

Leave A Reply

Your email address will not be published.