ବାଲିଗୁଡାର ବନବାସୀ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ଦୁଇ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ୨ଜଣ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜନ କରାଯାଇଥିଲା । ଅଜୟ କୁମାର ବେହେରା ଓ ଭରତ ଚନ୍ଦ୍ର ସାହୁ ସହକାରୀ ଶିକ୍ଷକ ଭାବେ ବନବାସୀ ବଧିର ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ବିଭାଗୀୟ ଦ୍ୱାରା ଅନୁମୋଦିତ ହୋଇ କାର୍ଯ୍ୟ କରୁଥିଲେ । ୬୦ ବର୍ଷ ପୂର୍ତ୍ତି ପରେ ଅବସର ଗ୍ରହଣ କଲେ । ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଓ ସମ୍ମାନିତ ଅତିଥି ଭାବେ ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ରୁଦ୍ର ଶୁକ୍ଳ ଯୋଗ ଦେଇ ଶିକ୍ଷକ ଦ୍ବୟଙ୍କ ଭୁୟସୀ ପ୍ରଶଂସା କରିଥିଲେ । ବିଶ୍ୱଜିତ ଜେନା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଧଳ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ମଧ୍ୟରେ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ପ୍ରପୁଲ୍ଲ କୁମାର ସାମଲ, କିଶୋର କୁମାର ଜେନା ଓ ସୁରେନ୍ଦ୍ର ଧଳ ଶିକ୍ଷକ ଦ୍ୱୟଙ୍କ କାର୍ଯ୍ୟକାଳ ମଧ୍ୟରେ ସେମାନଙ୍କର ଦକ୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ଦ୍ୱୟଙ୍କୁ ଅତିଥିଙ୍କ ଦ୍ୱାରା ଉପଢୌକନ, ପୁଷ୍ପଗୁଚ୍ଛ ତଥା କିଛି ଅନୁସାଙ୍ଗିକ ଉପହାର ପ୍ରଦାନ କରିଥିଲେ । ଶିକ୍ଷକ ଦ୍ୱୟ ଅବସର ଗ୍ରହଣ କଲେ ସତ, କିନ୍ତୁ ସେମାନଙ୍କୁ ଅବସରକାଳୀନ ଭତ୍ତାର(ପେନସନ) ଅବଧି ନ ଥିବାରୁ ଅଳ୍ପ ଦୁଃଖ ଓ ମିୟମ୍ରାଣର ଗାଥା ଚଖାଣି ସମସ୍ତଙ୍କୁ ସ୍ତବ୍‌ଧ କରିଦେଇଥିଲେ । ପରିଶେଷରେ ଅନୁଷ୍ଠାନର ଖଗେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭିକ ଓ ବିଦାୟ କାଳୀନ ସଂଗୀତ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.