ରାଉରକେଲାର ହକି ଷ୍ଟାଡିୟମ ସହିଦ ବିରସା ମୁଣ୍ଡାଙ୍କ ନାମରେ ନାମିତ ହେଲା : ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ରାଉରକେଲା : ଆଜି ରାଉରକେଲାରେ ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦବୋଧନ ଦେଇ ସେ କହିଛନ୍ତି, ସୁନ୍ଦରଗଡ଼ର ବିକାଶରେ ରାଉରକେଲାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ହକିର ଏନ୍ତୁଡ଼ିଶାଳ ହେଉଛି ସୁନ୍ଦରଗଡ଼ । ଏଠିକାର ଖେଳାଳି ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି । ସୁନ୍ଦରଗଡ଼ର ମାଟି, ପାଣି ଓ ପବନରେ ହକି ରହିଛି । ରାଉରକେଲାରେ ହେବାକୁ ଥିବା ହକି ଷ୍ଟାଡିୟମକୁ ସହିଦ ବିରସା ମୁଣ୍ଡା ହକି ଷ୍ଟାଡିୟମରେ ନାମିତ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏଠାରେ ଉଲେ୍ଲ୍ଲଖ ଯୋଗ୍ୟ ଯେ, ନିର୍ମାଣ ହେବାକୁ ଯାଉଥିବା ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଉରକେଲାର ଷ୍ଟିଲ ପ୍ଲାଣ୍ଟ ଠାରୁ ଆରମ୍ଭ କରି ଏନଆଇଟି ପର୍ୟ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି । ରାଉରକେଲାକୁ ଆଶାର ସହର ଭାବରେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ଏଥିରେ ରହିଛି ୧୬୨୨କୋଟିର ପାନୀୟ ଜଳ ପ୍ରକଳ୍ପ, ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬କୋଟିର ଶିକ୍ଷା ପ୍ରକଳ୍ପ । ସେହିପରି ୨୫୦ କୋଟିର ପରିମଳ,୨୧୬ କୋଟିର ଜୀବିକା ବିକାଶ, ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୩୫ କୋଟିର ମହିଳା ଓ ଶିଶୁ ବିକାଶ, ୧୨ କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ରହିଛି ।