ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏସଏମସି ଚେୟାରପର୍ସନ ପ୍ରମିଳା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ମୃତ୍ତିକା ଶିଳ୍ପୀ ଦୁଲ୍ଲଭ ରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଦଣ୍ଡସେନା ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗର ହାତ ବଢ଼ାଇବାକୁ ପ୍ରେରଣା ଦେଇଥିଲେ । ସିଆରସିସି ନରେନ୍ଦ୍ର ପୁରୋହିତ, ଅଙ୍ଗନୱାଡି କର୍ମୀ ସୌଦାମିନୀ ମାଝୀ, ପଞ୍ଚସଖା ଶିକ୍ଷାସେତୁ ସଭାପତି କପିଳାସ ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ମନଯୋଗୀ ହୋଇ ପାଠପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନକରି ଉତ୍ସାହିତ କରିଥିଲେ । ବରିଷ୍ଠ ଶିକ୍ଷକ ଅଭିରାମ ପରାଭୂଏ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଶିକ୍ଷକ ଅଭିରାମ ପରାଭୂଏ ସଭାପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରାହ୍ମଣୀପାଲି ଗ୍ରାମବାସୀ, ଏସଏମସି ସଭ୍ୟସଭ୍ୟା, ଶତାଧିକ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗନେଇ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା ।

Leave A Reply

Your email address will not be published.