ଧାନକିଣାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଧାନକିଣା ଓ ଚାଷୀଙ୍କ ସମସ୍ୟାକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ରାଜ୍ୟର ଚାଷୀ ଧାନକିଣା, ଟୋକନ, କଟନି ଛଟନିରେ ପେଷି ହେଉଥିବା ବେଳେ ସରକାରଙ୍କ ଧାନକିଣା ଠିକ ଚାଲିଛି ଓ ଏଥିରେ ଚାଷୀକୁଳ ଖୁସି ଅଛନ୍ତି କହି ବିଜେଡି ସରକାର ଖୋଲା ଖୋଲି ଦିନ ଦ୍ୱୀପହରେ ସତ୍ୟତାର ଧର୍ଷଣ କରୁଛି । ସେହିପରି ଧାନକିଣା, କଣ୍ଟ୍ରାକ୍ଟ ଫାର୍ମିଂ ଓ ଏମ୍‌ଏସ୍‌ପିକୁ ନେଇ କେନ୍ଦ୍ରର ବିଜେପି ସରକାରଙ୍କ ନୀତି ବିରୁଦ୍ଧରେ ସାରା ଦେଶର ଚାଷୀକୁଳ ଅନ୍ଦୋଳନକୁ ଓହ୍ଲାଇଥିବା ବେଳେ ରାଜ୍ୟରେ ବିଜେପି ନେତୃବୃନ୍ଦଙ୍କ ଚାଷୀଙ୍କ ପାଇଁ ଘେରାଉ ଓ ଧାରଣା କାର୍ଯ୍ୟକ୍ରମକୁ ନେଇ ଶ୍ରୀ ମିଶ୍ର ‘ବେଶର୍ମି କି ଭି କୋଇ ହଦ୍‌ ହୋତି ହୈ’ବୋଲି କହିଥିଲେ । ଧାନକିଣାରେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଇସ୍ତାଫା ଦିଅନ୍ତୁ ବୋଲି ସେ ଦାବୀ କରିଥିଲେ । ସ୍ଥାନୀୟ ସାର୍କିଟହାଉସ ଠାରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ, ରାଜ୍ୟ ସରକାର ରାଜ୍ୟରେ ଧାନ ଉତ୍ପାଦନକୁୁ ନେଇ କେନ୍ଦ୍ରରୁ ପୁରସ୍କାର ସାଉଁଟୁଛନ୍ତି । ଜଳସେଚିତ ଜମିରେ ଏକର ପିଛା ୪୦ କ୍ୱିଣ୍ଟାଲ ଓ ଅଣ ଜଳସେଚିତ ଜମିରେ ୩୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ ଅମଳ ହେଉଛି ବୋଲି ସରକାର କହୁଛନ୍ତି । ତେବେ ସରକାର କିପରି ଜଳସେଚିତ ଜମିରୁ ୧୯କ୍ୱିଣ୍ଟାଲ ଓ ଅଣ ଜଳସେଚିତ ଜମିରୁ ୧୩କ୍ୱିଣ୍ଟାଲ ମାତ୍ର କିଣିବା ବ୍ୟବସ୍ଥା କରିଛନ୍ତି । ଏହାକୁ ନେଇ ବିଭିନ୍ନ ସ୍ତରରେ ବାରମ୍ବାର ପ୍ରଶ୍ନ କରାଗଲେ ମଧ୍ୟ ରାଜ୍ୟ ସରକାର ଏହାର ଉତ୍ତର ଦେଉ ନାହାନ୍ତି । ସେହିପରି ରାଜ୍ୟ ସରକାର ପଞ୍ଜିକୃତ ଚାଷୀଙ୍କ ସମସ୍ତ ଧାନ କିଣି ନେବା ନେଇ ମିଛ ବାହାସ୍ପୋଟ ମାରୁଥିବା ବେଳେ ସାରା ରାଜ୍ୟରେ ଚାଷୀମାନେ ଟୋକନ ଓ ପ୍ୟାକ୍ସ୍‌ ଗୁଡିକ ଟାର୍ଗେଟ ପାଇବାରୁ ବଞ୍ଚିତ ହେଉଛନ୍ତି କିପରି । ଆହୁରି ଚାଷୀମାନେ ପ୍ୟାକ୍ସକୁ ଧାନ ନେଇକି ଗଲେ ଟାର୍ଗେଟ ଓ ଟୋକନ ଅଭାବରୁ ଧାନ ବିକ୍ରି କରି ନପାରି ପ୍ୟାକ୍ସ ବାହାରେ ଧାନ ରଖିବାକୁ ବାଧ୍ୟ ହେଉଛନ୍ତି । ଏହାର ଅର୍ଥ ହେଲା ରାଜ୍ୟ ସରକାର ଜାଣି ଶୁଣି ଚାଷୀଙ୍କୁ ରକ୍ତ ଶୋଷକ ମିଲ୍‌ ମାଲିକ ଓ ଅସାଧୁ ବ୍ୟବସାୟୀମାନଙ୍କ ପାଖକୁ ଠେଲି ଦେଉଛନ୍ତି । ଆହୁରି ସଅଳ ଅମଳ କରିଥିବା ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଧାନ ବିକ୍ରି କରୁଥିବା ଚାଷୀମାନେ କ୍ୱିଣ୍ଟାଲ ପିଛା ୧୨କେଜି ପର୍ଯ୍ୟନ୍ତ କଟନି ଛଟନିର ଶିକାର ହେଉଥିବା ମୋର ଦୃଷ୍ଟିକୁ ଆସିଛି । ଚାଷୀମାନଙ୍କ ଏହି ସମସ୍ୟା ଗୁଡିକୁ ଖୋଦ ବିଜେଡି ସାଧାରଣ ସଂପାଦକ କଳିକେଶ ସିଂଦେଓ ଅନୁଭବ କରିବା ସହ ଚାଷୀମାନଙ୍କୁ ଏ ଦିଗରେ ସହାୟତା କରିବା ପାଇଁ ସରକାରଙ୍କୁ ଚିଠି ଲେଖି ଜଣାଇବା ଏହାକୁ ପ୍ରମାଣିତ କରୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଆମେ ଠିକ୍‌ ଭାବେ ଧାନ କିଣୁଛୁ, କିଛି ଅସୁବିଧା ନାହିଁ ଓ ଚାଷୀ ଖୁସ ଅଛନ୍ତି ବୋଲି କହିବା ଦୁର୍ଭାଗ୍ୟ ଜନକ । ଅତଏବ ରାଜ୍ୟ ସରକାର ଛାଷୀମାନଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି, ଧାନକିଣାରେ ସରକାର ସଂପୁର୍ଣ୍ଣ ବିଫଳ ହୋଇଛନ୍ତି ତେଣୁ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତାପା ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଧାନକିଣାକୁ ନେଇ ବିଜେପି ଦଳ ସମ୍ବଲପୁରରେ ଘେରାଉ ଓ ଧାରଣାକୁ ନେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଆଇନ ଅନୁସାରେ ଉଚିତ ମୁଲ୍ୟ ଦେଇ ଚାଷୀମାନଙ୍କଠୁ ସିଧାସଳକ ଧାନକିଣିବା ପାଇଁ କେନ୍ଦ୍ରୀୟ ସଂସ୍ଥା ଏଫସିଆଇ ବାଧ୍ୟ । ତେବେ ଅଜଥା ଲୋକ ଦେଖାଣିଆ ହଟ୍ଟଗୋଳ କରିବା ଅପେକ୍ଷା ବିଜେପିର କେନ୍ଦ୍ରସରକାର ଏଫସିଆଇ ଦ୍ୱାରା ସିଧାସଳକ ଧାନ କିଣୁ ନାହିଁ କାହିଁକି । ଆହୁରି କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ସାରା ଦେଶର ଚାଷୀ ଆନ୍ଦୋଳନ କରୁଥିବା ବେଳେ ରାଜ୍ୟ ବିଜେପିର ଚାଷୀଙ୍କ ପ୍ରତି କୁମ୍ଭୀର କାନ୍ଦଣାକୁ ଦେଖିଲେ ନିର୍ଲଜତାର ବି କିଛି ସୀମା ଥାଏ ଉକ୍ତି ବେଶ ମନେ ପଡେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଶାନ କଂଗ୍ରେସର ସାନନ୍ଦ ମିଶ୍ର, ନାରୀ ନେତ୍ରୀ ମିଲନୀ ସାହୁ, ଜିଲ୍ଲା ଉପସଭାପତି ସନ୍ତକ ବହିଦାର ଓ ଛାତ୍ର ନେତା ଅଙ୍କିତ ସାହୁ ମଞ୍ଚାସିନ ଥିଲେ ।

Leave A Reply

Your email address will not be published.