jayashree

ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରବିବାର ସନ୍ଧ୍ୟାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ରାଜସ୍ୱ, ପରିବେଶ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟବକ୍ତା ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ସମ୍ମାନିତ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡ଼ତିଆ, ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ଵର ଶତପଥୀ ଓ ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭଲ ଭାବେ ପାଠପଢି ଭଲ ମଣିଷ ହୋଇ, ଦେଶ ସେବା କରିବା ସହ ବାପା, ମାଁ ଓ ନିଜ ମାଟିର ନାମ ରଖିବା ପାଇଁ ଉପଦେଶ ଦେଇଥିଲେ । ସେହିପରି ଶିକ୍ଷକ ମାନଙ୍କୁ ଆପଣ ମାନଙ୍କ ହାତରେ ଏହି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅଛି ଏହାକୁ ଗଢି ତୋଳିବା ଆପଣ ମାନଙ୍କ କାମ ବୋଲି ଅତିଥି ମାନେ କହିଥିଲେ । ଅଧ୍ୟାପିକା ନିରୁପମା ପ୍ରଧାନ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଇଂରାଜୀ ଶିକ୍ଷକ ସୁନିଲ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ଗତ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରଜ୍ଞାପରୀମିତା ପ୍ରଧାନ ଓ କଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱର୍ଗତ ଶ୍ରେୟା ସାହୁଙ୍କ ପିତାଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଇତିହାସ ବିଭାଗ ଶିକ୍ଷକ ମୀନକେତନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.