jayashree

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ସମ୍ମିଳନୀ କକ୍ଷ ଠାରେ ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍‌ପିଟାଲ୍‌ର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦାଗଡ଼ୁ, ମେଡ଼ିକାଲ କଳେଜର ଡିନ୍‌ ଓ ଅଧ୍ୟକ୍ଷା ପ୍ରଫେସର ଡା. ସବିତା ମହାପାତ୍ର, ମେନିକାଲ କଲେଜ ଅଧିକ୍ଷକ ଡା. ମହେନ୍ଦ୍ର କୁମାର ନାୟକଙ୍କ ସମେତ ସ୍ୱାସ୍ଥ୍ୟ ବିକାଶ ସମିତିର ସଦସ୍ୟ ସଦସ୍ୟା ଓ ସଂପୃକ୍ତ କାର୍ଯ୍ୟନିର୍ବାହୀ ବିଭାଗର ବିଭାଗୀୟ ମୁଖ୍ୟ, ସିଡ଼ିଏମ୍‌ଓ ଡା. ଭୀମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ମେଡ଼ିକାଲ କଳେଜର ଡିନ୍‌ ଓ ଅଧ୍ୟକ୍ଷା ପ୍ରଫେସର ଡା. ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିଚାଳନା ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମେଡ଼ିକାଲ କଲେଜର ଅଧିକ୍ଷକ ଡା.ନାୟକ ପାୱାର ପଏଣ୍ଟ ମାଧ୍ୟମରେ ସ୍ୱାସ୍ଥ୍ୟ ବିକାଶ ସମିତିର ବିଭିନ୍ନ ଆଲୋଚ୍ୟ ବିଷୟବସ୍ତୁ ସଂପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରେ ଗତ ୨୭/୦୨/୨୦୧୯ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରସ୍ତାବ ଓ ଏହାର କାର୍ଯ୍ୟକାରିତା ସଂପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ସିସି ଟିଭି ଲଗାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଅଗ୍ନି ନିରାପତ୍ତା ପରିଚାଳନା ସଂପର୍କରେ ଯଥାଶୀଘ୍ର ପଦକ୍ଷେପ ନେବା, ବିଦ୍ୟୁତ ଓ ଜଳଯୋଗାଣ ସମସ୍ୟାର ଶୀଘ୍ର ସମାଧାନ ଉପରେ ବୈଠକରେ ଆଲୋଚନା ହୋଇଥିଲା । ମେଡ଼ିକାଲ କଲେଜ ଅଧିକ୍ଷକ କାୟାକଳ୍ପ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ମେଡ଼ିକାଲ କଲେଜରେ ପ୍ରତିଷ୍ଠା ହୋଇଥିବା କୋଭିଡ଼ ପରୀକ୍ଷାଗାର ଓ କୋଭିଡ଼-୧୯ ଆର୍‌ଟିପିସିଆର୍‌ ପରୀକ୍ଷା ସଂପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ମେଡ଼ିକାଲ କଳେଜର ମାନବ ସଂସାଧନ ସଂପର୍କରେ ସେ ପାରାମେଡ଼ିକାଲ କର୍ମଚାରୀ ଓ ଅନ୍ୟାନ୍ୟ ପ୍ରଶାସନିକ କର୍ମଚାରୀଙ୍କ ସ୍ଥିତି ଓ ଖାଲିଥିବା ପଦବୀ ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ରୋଗୀଙ୍କ ସଂପର୍କୀୟଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ନିର୍ମାଣ, ନୂତନଭାବେ ନିର୍ମାଣ ହୋଇଥିବା ସର୍ଜରୀ ଅପରେସନ ଥିଏଟର ନିମନ୍ତେ ଲିପ୍ଟର ବ୍ୟବସ୍ଥା କରିବା, ପୁରୁଣା ବିପଦପୂର୍ଣ୍ଣ କୋଠାକୁ ଭାଙ୍ଗିବା, କୋଭିଡ଼ ଏଚ୍‌ଡ଼ିୟୁ/ଆଇସିୟୁକୁ ପରିଚାଳନା, ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ବର୍ଣ୍ଣ ୟୁନିଟ୍‌ ପ୍ରତିଷ୍ଠା, ବାୟୋମେଡ଼ିକାଲ ବର୍ଯ୍ୟବସ୍ତୁ ନିମନ୍ତେ ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ଉପରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଭୀମ ଭୋଇ ମେଡ଼ିକାଲ କଳେଜ ଓ ହସ୍‌ପିଟାଲ୍‌ରେ ରୋଗୀଙ୍କୁ ସୁବିଧା ନିମନ୍ତେ ଆଉ ୪ ଗୋଟି ଆମ୍ବୁଲାନ୍ସର ଆବଶ୍ୟକତା ରହିଛି, ତେଣୁ ଏ ବିଷୟରେ ଆଲୋଚନା କରାଯାଇ ୪ ଗୋଟି ଆମ୍ବୁଲାନ୍ସ ଯୋଗାଇଦେବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ପଠାଇବା ସକାଶେ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ କୃଷ୍ଣକ କଲ୍ୟାଣ ଯୋଜନା, ରୋଗୀ କଲ୍ୟାଣ ସମିତିର ଆର୍ଥିକ ସ୍ଥିତି ତଥା କେବିନ୍‌, ଷ୍ଟଲ୍‌, ଆମ୍ବୁଲାନ୍ସ ଇତ୍ୟାଦିରୁ ଆଦାୟ ହେଉଥିବା ରାଜସ୍ୱ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ବୈଠକରେ ରୋଗୀ କଲ୍ୟାଣ ସମିତି ଅନ୍‌ଟାଏଡ଼୍‌ ଫଣ୍ଡରୁ ୨୦୨୦-୨୧ ବର୍ଷରେ କାର୍ଯ୍ୟକାରୀ ହେବାକୁ ଥିବା କେତେକ ନୂତନ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ମେଡ଼ିକାଲ କଲେଜର ଅଧିକ୍ଷକ ଡା. ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.