ବଲାଙ୍ଗିର, (କେପିଏନ୍ଏସ୍) : ବନାଗ୍ନି ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡର ଖଣ୍ଡୀୟ ବନାଧିକାରୀ, ଅଜିତ ବିଶି, ଜଙ୍ଗଲରେ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ବିଭାଗ ଦ୍ଵାରା ନିଆଯାଉଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ବନଖଣ୍ଡର ସହକାରୀ ବନ ସଂରକ୍ଷକ ମାନସ ରଞ୍ଜନ ବେହେରା ପାୱାର ପଏଣ୍ଟ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ, ନିରାକରଣ ଓ ପ୍ରତିରୋଧ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ଏବଂ ଗତ ବର୍ଷ (୩ଏଫ- ଫ୍ରୀ ଫାୟର ଫରେଷ୍ଟ) ଜଙ୍ଗଲ ନିଆଁ ମୁକ୍ତ ବଲାଙ୍ଗିର ଜିଲ୍ଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଓ ଯୋଜନା ଉପରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଜଙ୍ଗଲ ଆଭ୍ୟନ୍ତରୀଣ ତଥା ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ଅଗ୍ନି ପ୍ରଶମନ ରେଖା ସୃଷ୍ଟି କରାଯାଉଅଛି । ଯେଉଁ ଅଞ୍ଚଳର ଲୋକମାନେ ଚାଷ ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ସେମାନଙ୍କୁ ସଚେତନ କରିବା ନିମନ୍ତେ ବନଖଣ୍ଡ ଏବଂ ରେଞ୍ଜସ୍ତରୀୟ ବନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଗୁଡ଼ିକ କରାଯାଉଛି । ଏଥିସହିତ ବନାଗ୍ନି ଅବରୋଧକ ପ୍ରଶିକ୍ଷିତ ଦଳ ଗଠନ କରାଯାଇ ବନାଗ୍ନି ନିର୍ବାପନ ମକ ଡ୍ରିଲ, ବନାଗ୍ନି ନିର୍ବାପନ ନିମନ୍ତେ ଅଗ୍ନି ସୁରକ୍ଷା ଦଳ /ଫାୟାର ପ୍ରୋଟେକ୍ଶନ ସ୍କ୍ୱାର୍ଡ ଗଠନ କରାଯାଇଛି । ବନାଗ୍ନି ପ୍ରଶମନରେ ସକ୍ରିୟ ଭାଗିଦାରୀକୁ ଅନୁଭବ କରି ଆବଶ୍ୟକ ମୁତାବକ ବନ ସୁରକ୍ଷା ସମିତିର ସମ୍ପୃକ୍ତି ଅନୁଯାୟୀ ସହାୟତା ରାଶି ପ୍ରଦାନ, ୨୪x୭ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ । ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ କୁମାର ମେହେର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ବନ ସଂରକ୍ଷକ ମୁରାରୀ ପ୍ରସାଦ ପଣ୍ଡା, ବନ ସଂରକ୍ଷକ ସୁମନ ମାଝୀ, ଅଗ୍ନିଶମ ଅଧିକାରୀ, କୃଷି ଅଧିକାରୀ, ବଲାଙ୍ଗିର ବନଖଣ୍ଡର ସମସ୍ତ ରେଞ୍ଜ ଅଧିକାରୀ, ଫୋରେଷ୍ଟର ଓ ଫୋରେଷ୍ଟ ଗାର୍ଡ ଯୋଗଦାନ କରିଥିଲେ ।
Next Post