ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗାଁ ପଡିଆରେ ସୁକତେଲ ମହୋତ୍ସବ ପାଇଁ ନେସନାଲ ସାର୍ଭିସ ଫାଉଣ୍ଡେସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆବାହକ ଚିଙ୍କୁ ପ୍ରଧାନ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିବା ବେଳେ ବିଧୂଭୂଷଣ ସିଂଦେଓ ସଭାପତିତ୍ୱ କରିଥିଲେ । ଏହି ସଭାରେ ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ମଳୟ କୁମାର ତ୍ରିପାଠୀ ପୂର୍ବବର୍ଷର ଅନୁଷ୍ଠିତ ସୁକତେଲ ମହୋତ୍ସବର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏବଂ ଏ ବର୍ଷର ମହୋତ୍ସବ ନିମନ୍ତେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସୁମନ୍ତବ୍ୟ ଗ୍ରହଣ କରିଥିଲେ । ଆସନ୍ତା ଜାନୁୟାରୀ ୯ରୁ ୧୨ ପର୍ଯ୍ୟନ୍ତ ମହାସମାରୋହରେ ସୁକତେଲ ମହୋତ୍ସବ ଅନୁଷ୍ଠିତ ହେବ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ହେବା ଦ୍ୱାରା ବହୁ ସଂସ୍କୃତି, ପରଂପରା, ଲୋକନୃତ୍ୟ ନଷ୍ଟ ହେବା ସମ୍ଭାବନା ଥିବାରୁ ତାକୁ ପୁନଃରୁଦ୍ଧାର କରିବା ପାଇଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ସୂଚନା ଦେଇଥିଲେ । ଏହି ଉତ୍ସବରେ ବିଶିଷ୍ଟ ଅତିଥିବୃନ୍ଦ ଯୋଗ ଦେବାର ସମ୍ମତି ପ୍ରଦାନ କରିଛନ୍ତି ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦେବାକୁ ନିଷ୍ପତ୍ତି ନିଆଯାଇଛି । ବହୁ ଲୋକନୃତ୍ୟ, ଲୋକ ସଂଗୀତକୁ ଅଗ୍ରାଧିକାର ଦେବାକୁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, କଳା ସଂଗଠକ ଜୟକୃଷ୍ଣ ମିଶ୍ର, ଦୀନବନ୍ଧୁ ମୁର୍ମୁ, ବିକାଶ ରଂଜନ ରଥ, ହାଡିବନ୍ଧୁ ତ୍ରିପାଠୀ, ଜଗନ୍ନାଥ ବିଶ୍ୱାଲ, ସୁରେଶ ଚନ୍ଦ୍ର ବିଶି, ସୁରେଶ ସାହୁ, ହେମନ୍ତ ମାଝି, ବିକାଶ ମିଶ୍ର, ସୁକଦେବ ରାଉତ, ଭାଗିରଥି ମନହିରା, ବିଶ୍ୱ ମୋହନ ଜେନା, ସୁନିଲ କୁମାର ମିଶ୍ର, ଋତୁରାଜ ପ୍ରଧାନ, ଅଶୋକ କୁମାର ରାଉତ, ଦେବାଶିଷ ସାହୁ, ସୁବଳ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି ଶ୍ରୀ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।