ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ : +୨ ନାମଲେଖା ଆବେଦନ ବାଧାପ୍ରାପ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତିନିଦିନ ହେବ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଥିବା ଜାଣିବାକୁ ମିଳିଛି । ବିଦ୍ୟୁତ୍‌ ଯୋଗାଣ ବନ୍ଦ ଯୋଗୁଁ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ଠପ୍‌ ହୋଇପଡିଛି । ଫଳରେ ବିଦ୍ୟାଳୟ କର୍ମଚାରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିଥିବା ଯୋଗୁଁ +୨ ନାମଲେଖା କାର୍ଯ୍ୟ ସହିତ ସମସ୍ତ ଅନ୍‌ଲାଇନ୍‌ କାର୍ଯ୍ୟ ବନ୍ଦ ହୋଇଯାଇଛି । ଖପ୍ରାଖୋଲ ବ୍ଲକ ମୁଖ୍ୟାଳୟରେ ଅବସ୍ଥିତ ଏହି ବିଦ୍ୟାଳୟକୁ +୨ ସାମ ସେଂଟର କରାଯାଇଛି । ମାଟ୍ରିକ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ସାମ୍‌ ସେଂଟର ଜରିଆରେ ନାମ ଲେଖାଇବା ପାଇଁ ଆବେଦନ କରିବେ । ଗତ ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍‌ ନଥିବା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ନାମ ଲେଖା ସଂକ୍ରାନ୍ତ ସମସ୍ତ ତଥ୍ୟ ସଂଗ୍ରହ କରିବାରେ ସମସ୍ୟା ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ କି ବିଦ୍ୟାଳୟରେ ଟ୍ରାନ୍ସଫର୍ମର ନଥିବାରୁ ୮୦୦ ମିଟର ଦୂରରୁ ବିଦ୍ୟୁତ୍‌ ତାର ଟଣାଯାଇ ବିଦ୍ୟାଳୟକୁ ଆସିଛି । ଏଥିପାଇଁ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ହେଉଥିବା ଅଭିଯୋଗ ହେଉଛି । ଗତ ଫେବୃୟାରୀ ମାସରେ ସର୍ଭିସ ତାର ପୋଡିଯାଇଥିବା ବେଳେ ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ ହୋଇପଡିଥିଲା । ପରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଉଦ୍ୟମ କ୍ରମେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା । ନୂତନ ତାର ସଂଯୋଗ ହେବା ପରେ ମଧ୍ୟ ନିୟମିତ ବିଦ୍ୟୁତ୍‌ ବିଭ୍ରାଟ ଲାଗି ରହୁଥିଲା । ଗତ ବୁଧବାର ଏହି ସର୍ଭିସ ତାର ପୁନର୍ବାର ପୋଡିଯାଇଛି । ଫଳରେ ତିନିଦିନ ହେବ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଇଛି । ବିଦ୍ୟାଳୟରେ ଜଳ ଯୋଗାଣ ବନ୍ଦ ହୋଇପଡିବା ସହିତ ସିସିଟିଭି କ୍ୟାମେରା ବନ୍ଦ ହୋଇଯାଇଛି । ସନ୍ଧ୍ୟାପରେ ବିଦ୍ୟାଳୟ କ୍ୟାମ୍ପସ ଅନ୍ଧାର ରହୁଛି । ବିଦ୍ୟାଳୟର ଲକ୍ଷ ଲକ୍ଷ ଟଙ୍କାର ସମ୍ପତିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ଲଗାଇବା ନିମନ୍ତେ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ବର୍ତ୍ତମାନ +୨ ନାମଲେଖା ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହୋଇଥିବାରୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି । ଏ ନେଇ ଖପ୍ରାଖୋଲ ଟାଟା ପାୱାର ଜେଇ ସମ୍ବିତ କୁମାର ପରିଡାଙ୍କୁ ପଚାରିବାରୁ ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.