pakka

ସ୍ୱାଧୀନତାର ପରିସୀମା ଓ ପରିଭାଷା ଶୀର୍ଷକ ଆଲୋଚନାଚକ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରାନ୍ତି-ଜାଗୃତି କମିଟି ପକ୍ଷରୁ ସଭାପତି ଡ. ଶିବପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସ୍ୱାଧୀନତାର ପରିସୀମା ଓ ପରିଭାଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଧରିତ୍ରୀ ଓ ଓଡିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଓ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ମଧୁସୂଦନ ପତି ଆଲୋଚକ ଭାବେ ଯୋଗଦାନ କରିଥିଲେ । ଆଲୋଚନାଚକ୍ର କମିଟି ସଂଯୋଜକ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଂଯୋଜନା କରିଥିଲେ । ଯୁଗ ଯୁଗରୁ ସ୍ୱାଧୀନତାର ପରିସୀମା ଏବଂ ପରିଭାଷା ବ୍ୟାଖ୍ୟା ଖୋଜା ଚାଲିଛି । ଯେଉଁମାନଙ୍କୁ ଖାଦ୍ୟ ପାଇଁ ଚିନ୍ତା କରିବାକୁ ପଡେନାହିଁ, ସେମାନଙ୍କ ପିଲାଙ୍କୁ ଖାଦ୍ୟ କେଉଁଠି ଆସେ ବୋଲି ପ୍ରଶ୍ନ କଲେ ରିଲାଏନ୍ସ ଫ୍ରେସ୍‌ କିମ୍ବା କେଉଁ ଦୋକାନରୁ ଖାଦ୍ୟ ଆସୁଛି ବୋଲି କହନ୍ତି, ଯେଉଁମାନଙ୍କ ଘରେ ଟ୍ୟାବ ଲାଗିଛି ଏପଟେ ମୋଡି ଦେଲେ ଥଣ୍ଡା ପାଣି ଓ ସେପଟେ ମୋଡି ଦେଲେ ଗରମ ପାଣି ବାହାରୁଛି ସେମାନଙ୍କ ପାଖରେ ସ୍ୱାଧୀନତା ରହିଛି । ଯେଉଁମାନେ ତିନି କିଲୋମିଟର ଚାଲିକରି ଯାଉଛନ୍ତି, ନଦୀ ବାଲିରେ କୂଅ କରି ପାଣି ଆଣୁଛନ୍ତି ସେମାନଙ୍କ ପାଖରେ ସ୍ୱାଧୀନତା ନାହିଁ । ଖାଦ୍ୟ ଖାଇବା ଲୋକେ ଚାଷୀଙ୍କ ସଂଘର୍ଷ ବୁଝନ୍ତି ନାହିଁ । ଚାଷୀକୁ ତାର ଶ୍ରମ ଓ ଶସ୍ୟର ମୂଲ୍ୟ ମିଳେନାହିଁ । ଏଥିରୁ କ’ଣ ବୁଝାପଡୁଛି, ଧନୀ ସ୍ୱାଧୀନ ଓ ଗରିବ ପରାଧୀନ ରହିଆସିଛି ବୋଲି ଧରିତ୍ରୀ ଓ ଓରିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଆଲୋଚକ ସତପଥୀ ଆହୁରି କହିଥିଲେ ଯେ, ସ୍ୱାଧୀନତା ଏକ ସିଦ୍ଧାନ୍ତ । ଏହି ସିଦ୍ଧାନ୍ତକୁ ଯିଏ ବିକ୍ରି କରିପାରିଲା ସିଏ ବଡ ନେତା ହୋଇପାରିଲା । କାରଣ ସ୍ୱାଧୀନତା ସିଦ୍ଧାନ୍ତର ବି ଗ୍ରାହକ ଅଛନ୍ତି । ଧର୍ମ ହେଉଛି ସ୍ୱାଧୀନତା ସଙ୍କୁଚିତ କରିବାର ଆଉ ଏକ ପ୍ରମୁଖ ମାଧ୍ୟମ । ଧର୍ମର ଲେମ୍ବୁ ଚଟାଇ ଗରିବ ଲୋକଙ୍କ ସ୍ୱାଧୀନତାକୁ ଚାପି କରି ରଖାଯାଉଛି । ସବୁ ଧର୍ମରେ ସମାନ ସ୍ଥିତି ରହିଛି । ଦୁଇବର୍ଷ ତଳେ ଯେଉଁ ନୂଆ ରୋଗ ବାହାରିଲା ସେହି ରୋଗ ମାଧ୍ୟମରେ ବ୍ୟକ୍ତି ସ୍ୱାଧୀନତାକୁ ଦୁଇବର୍ଷ ଚାପି ଦିଆଗଲା । ହିନ୍ଦୁଧର୍ମରେ ଜଣେ ପୁଅ ପିଲାର ୨୧ ଦିନ ଏବଂ ଝିଅ ପିଲାର ୩୦ ଦିନ ପର୍ଯ୍ୟନ୍ତ ସ୍ୱାଧୀନତା ରହୁଛି । ଯେଉଁଦିନ ତାକୁ ଏକ ନାଁ ଦେଇଦିଆଯାଉଛି ସେହିଦିନଠାରୁ ତାର ସବୁକିଛି ଯେମିତି ସମାପ୍ତ ହୋଇଯାଉଛି । ଜାତି, ଧର୍ମ ନାଁରେ ଭାଗଭାଗ କରିଦିଆଯାଉଛି । ଏହା କିଏ କରୁଛି, ସେ ନିଜେ କିଛି କରୁନାହିଁ । ତାକୁ କରାଇ ଦିଆଯାଉଛି ବୋଲି ସତପଥୀ କହିଥିଲେ । ଅନ୍ୟତମ ଆଲୋଚକ ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ପାଶ୍ଚତ୍ୟ ଏବଂ ପ୍ରାଚ୍ୟ ବିଚାରରେ ସ୍ୱାଧୀନତାର ପରିଭାଷା ଓ ପରିସୀମା ବିଷୟରେ ଏକ ତାତ୍ତ୍ୱିକ ଆଲୋଚନା କରିଥିଲେ । ସମ୍ବିଧାନରେ ଯେଉଁ ଭାତୃତ୍ୱ ଶବ୍ଦର ବ୍ୟାଖ୍ୟା କରାଯାଇଛି ଏହା ବଡ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଭାତୃତ୍ୱ ଜରିଆରେ ହିଁ ଆମେ ସାମ୍ବିଧାନର ନ୍ୟାୟ ଓ ସମାନତାକୁ ଠିକ୍‌ ଭାବେ ବୁଝିପାରିବା ବୋଲି କହିଥିଲେ । ଦେଶପ୍ରେମ ଭଲ ମାତ୍ର ଜାତୀୟତାବାଦ ବ୍ୟକ୍ତିକୁ ଉଶୃଙ୍ଖଳ କରେ ବୋଲି କହିଥିଲେ । ପ୍ରକୃତରେ ଆର୍ଥିକ ସ୍ୱାଧୀନତା ବିନା ସ୍ୱାଧୀନତାର କିଛି ମୂଲ୍ୟ ନାହିଁ ବୋଲି ସେ କହିଥିଲେ । ବ୍ୟକ୍ତି ପାଇଁ ସମାଜ ସୃଷ୍ଟି ସମାଜ ପାଇଁ ବ୍ୟକ୍ତି ସୃଷ୍ଟି ହୋଇନାହିଁ ବୋଲି ସେ କହିଥିଲେ । ତେବେ ଭାରତୀୟ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ଆଧ୍ୟାତ୍ମିକ ଉଦାରତା ଉପରେ କହି ଅନ୍ୟର ସ୍ୱାଧୀନତାକୁ ସମ୍ମାନ ପ୍ରଦର୍ଶନ କରିବାରେ ଶ୍ରେଷ୍ଠତମ ମାଧ୍ୟମ ବୋଲି କହିଥିଲେ । ଆଲୋଚକଙ୍କ ବକ୍ତବ୍ୟ ପରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୁ କଲେଜ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଦୁଇ ଆଲୋଚକଙ୍କୁ ପ୍ରଶ୍ନ କରିଥିଲେ । ଦୁଇ ଆଲୋଚକ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଶେଷରେ ବୀରେନ୍ଦ୍ର କୁମାର ଝାଙ୍କର ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନାଚକ୍ରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ, ଟିକେଶ୍ୱର ଗୁରୁ, ଗୁରୁଶ୍ରୀ ଘାସିରାମ ମିଶ୍ର, ମନୋରଞ୍ଜନ ସାହୁ, ଗୋପଭୂଷଣ ନାଥ, ନକୁଳ ଅଗ୍ରୱାଲ, ଡା ଲକ୍ଷ୍ମୀକାନ୍ତ ମହାପାତ୍ର, ନୀଳମଣି ମିଶ୍ର, ହେମନ୍ତ ପଣ୍ଡା, ବିଧୁଭୂଷଣ ତ୍ରିପାଠୀ, ବେଲାରସିଂ ଭୋଇ, ଭାଗିରଥି ମିଶ୍ର, ଚାଇନା ମହାନ୍ତି, ସନ୍ତୋଷ ପାଢ଼ୀ, ସୁବାସ ଚନ୍ଦ୍ର ପଣ୍ଡା, ଅଶୋକ ନନ୍ଦ, ସୁଦୀପ ଗୁରୁ, ଅରୁଣ ମିଶ୍ର, ପ୍ରହଲ୍ଲାଦ ଶତପଥି, କିଶୋର ରଥ, ଦିଲ୍ଲୀପ ଦାଶ, ନିମାଇ ପାଣିଗ୍ରାହୀ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

eighteen + 16 =