ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ପଞ୍ଚାୟତ ଅଧିନସ୍ଥ ହୁମର ଗ୍ରାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ୧୦ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପ୍ରଥମେ ହୁମର ଗ୍ରାମର ବ୍ରଜକିଶୋର ପରିଡାଙ୍କ ଘରୁ ନିଆଁ ଲାଗି ନିମିଷକ ମଧ୍ୟରେ ପଡୋଶୀ ଘରକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ବ୍ରଜକିଶୋର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ନଳିନୀ ପରିଡ଼ା, ଗଙ୍ଗାଧର ପରିଡ଼ା ଓ ଧ୍ୱଜ ପରିଡ଼ାଙ୍କ ୧୦ ବଖରାରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର ସମେତ ବାସନକୁସନ, ଧାନଚାଉଳ, ଦରକାରୀ କାଗଜପତ୍ର ଆଦି ଜଳି ଭସ୍ମୀଭୂତ ହୋଇଯାଇଛି । ଖବରପାଇ ଡେଲାଙ୍ଗରୁ ଦୁଇଟି ଦମକଳ ଆସି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ । ମୁଖ୍ୟ ଆଗ୍ନିକ ଜୟରାମ ସାହୁ, ପ୍ରଭାକର ଦାସ, ସୁକାନ୍ତ ପ୍ରଧାନ, ଅଶୋକ ଦାସ ଓ ପ୍ରଶାନ୍ତ ସେଠୀ ଦୀର୍ଘ ସମୟ ଧରି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.