ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌର ପାଳିକା ନିଜର ଦାୟିତ୍ୱକୁ ଠିକ୍ ଭାବରେ ତୁଳାଉ ନ ଥିବା ଅଭିଯୋଗରେ ସ୍ଥାନୀୟ କଲେକ୍ଟରଙ୍କ ଅଫିସ ସାମ୍ନାରେ ନଗର କଂଗ୍ରେସ କମିଟି ଜୋରଦାର ଗର୍ଜିଛି । ସହରର ଯାବତୀୟ ସମସ୍ୟାର ସମାଧାନ ଦିଗରେ ପୌର ପାଳିକା ଧ୍ୟାନ ଦେଉ ନ ଥିବାରୁ ସହରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେପରିକି ବର୍ଷାଋତୁ ପୂର୍ବରୁ ପୌରାଂଚଳର ଯେତେ ସବୁ ଡ୍ରେନ, ବଡନାଳ ଅଛି ସେସବୁକୁ ମରାମତି ତଥା ଉଚିତ ସଫେଇ କରିବା କଥା କିନ୍ତୁ ବଲାଙ୍ଗିର ପୌର ପାଳିକା ସେ କାମ ଠିକ୍ ଭାବେ କରୁନଥିବାରୁ ଟିକିଏ ବର୍ଷା ହେଲେ ଡ୍ରେନ ପାଣି ରାସ୍ତା ଉପରକୁ ଆସିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ସମସ୍ୟାକୁ ପୌର ପାଳିକା ନିଜେ ସମାଧାନ କରିବା ପରିବର୍ତ୍ତେ ନିଜ ଦୋଷ ଓ ଡ୍ରେନ ନିର୍ମାଣରେ ନିଜ ଦ୍ୱାରା ହୋଇଥିବାରୁ ଦୁର୍ନୀତିକୁ ଘୋଡାଇବା ପାଇଁ ଜାତୀୟ ରାଜପଥ ବିଭାଗକୁ ଦୋଷ ଦେଇ ବଲାଙ୍ଗିରବାସୀଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ନଗର କଂଗ୍ରେସ ଅଭିଯୋଗ କରିଛି । ଗତ କିଛି ବର୍ଷ ହେବ ବଲାଙ୍ଗିର ଟାଉନ ହଲ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସି କାମ ହୋଇଛି କିନ୍ତୁ ଦୁଃଖର ବିଷୟ ଟାଉନ ହଲ୍ର ସ୍ଥିତିରେ କୌଣସି ସୁଧାର ହୋଇନି, ଲୋକଙ୍କ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହା ବ୍ୟବହାର ହେବା ପରିବର୍ତ୍ତେ ଏହା ପୌର ପାଳିକାର ଗେରେଜ ଓ ଅବ୍ୟବହୃତ ଜିନିଷର ଗୋଦାମଘର ଭାବେ ବ୍ୟବହାର ହେଉଛି । ଏଠାରେ ଆମେ ଆହୁରି ମଧ୍ୟ ସୂଚେଇ ଦେଉଛୁ ଯେ, ବହୁ ବର୍ଷ ହେବ ଟାଉନ ହଲକୁ ମରାମତି ଆଳରେ ବନ୍ଦ କରି ଦିଆଯାଇଥିବାରୁ ସହରର କୌଣସି ସମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରୁ ନାହିଁ । ଏପରିକି ସହରରେ ଅଡିଟୋରିୟମ ଅଭାବରୁ ଆଜିକାଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ / ସମାବେଶ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ଅଡିଟୋରିୟମରେ ଆୟୋଜିତ ହେବା ଦ୍ୱାରା ମେଡିକାଲ କଲେଜର ଚିକିତ୍ସା ଓ ଶିକ୍ଷଣୀୟ ପରିବେଶ ଉପରେ କୁପ୍ରଭାବ ପଡୁଛି ବୋଲି ଜିଲ୍ଲାର ଶିକ୍ଷାବିତ ଓ ବୁଦ୍ଧିଜିବୀମାନେ ଅଭିଯୋଗ କରନ୍ତି । ତେଣୁ ଟାଉନ ହଲ୍ ଉନ୍ନତିକରଣରେ ଅହେତୁକ ବିଳମ୍ବ ପାଇଁ ହୋଇଥିବା ଦୁର୍ନୀତିର ଅନୁସନ୍ଧାନ ସହ ଦୋଷୀ ବିରୁଦ୍ଧରେ ଦୃଢ କାଯର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନଗର କଂଗ୍ରେସ ଅନୁରୋଧ କରିଛନ୍ତି । ମହାରାଣୀ ସାଗର ଦୁର୍ନୀତି ହେଉଛି ବଲାଙ୍ଗିର କଂଗ୍ରେସର ପାଳିକାର ଆଉ ଏକ ମହା ଦୁର୍ନୀତି ବୋଲି ନଗର କଂଗ୍ରେସ ଅଭିଯୋଗ ଆଣିଛି । କୋଟି କୋଟି ଟଙ୍କାର ଅନୁଦାନକୁ ପୌର ପାଳିକା ଚଂଚକତା କରି ଅଭିଜ୍ଞତା ନଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏତେ ବଡ ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ କାମ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ପ୍ରଦାନ କରି ଏହି ଦଶନ୍ଧିର ସବୁଠାରୁ ବଡ ଦୁର୍ନିତି କରିଛନ୍ତି । ତେଣୁ ଏହି ଅପାରଗତା ଓ ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନଗର କଂଗ୍ରେସ ଦାବି କରିଛି । ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ମନିଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ସାନନ୍ଦ ମିଶ୍ର, ଅସିତ ମିଶ୍ର, ଚିନ୍ମୟ ବେହେରା, ନିତିଶ ପଧାନ, ବ୍ରଜ ସେଠୀ, ସୋହନ ନାଏକ, ରିତେଶ ବେଦବାକ, ଆୟୁଷ କମ୍ପ, ଆବ୍ରାହମ ନାଗ, ପ୍ରେମରାଜ ମାଝି, ଅଭିଜିତ ସିଂ, ବେଲାର, ପ୍ରିତମ ସୁନା, ଦୀପ୍ତି ରଞ୍ଜନ, ସମୀର, ରିପୁନ ପଧାନ, ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Next Post